ଅଧାରୁ ଫେରି ଆସିଲେ ବିରୋଧୀ
ଅଧାରୁ ଫେରି ଆସିଲେ ବିରୋଧୀ
admin
Aug 24, 2019 - 10:13
Updated: Aug 24, 2019 - 10:13
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ସେଠାକାର ସ୍ଥିତି ଅନୁଧ୍ୟାନ ପାଇଁ ଶନିବାର ଶ୍ରୀନଗର ଯାଇଥିବା ମିଳିତ ବିରୋଧୀ ଦଳର ସଦସ୍ୟମାନେ ଫେରି ଆସିଛନ୍ତି । ଶ୍ରୀନଗରରେ ସ୍ଥିତି ସ୍ୱାଭାବିକ ନଥିବାରୁ ସେମାନଙ୍କ ପ୍ରଶାସନ ତରଫରୁ ଫେରାଇ ଦିଆଯାଇଛି । ମିଳିତ ବିରୋଧୀଙ୍କ ଶ୍ରୀନଗର ପ୍ରବେଶ ଉପରେ ରୋକ ଲାଗିଥିଲା ।
କଂଗ୍ରେସ, ଏନସିପି ଓ କମୁ୍ୟନିଷ୍ଟ ପାର୍ଟି ସଦସ୍ୟମାନେ ଶ୍ରୀନଗର ଅଭିମୁଖେ ଯାଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଗୁଲାମନବୀ ଆଜାଦ ଓ ଶରଦ ଯାଦବ, କମୁ୍ୟନିଷ୍ଟ ନେତା ସୀତାରାମ ୟେଚୁରୀ ଓ ଡି.ରାଜା, ଟିଏମସୀର ଦୀନେଶ ତ୍ରିବେଦୀ, ଡିଏମକେର ତିରୁଚି ଶିବା, ଏନସିପିର ମଜିଦ ମେମନ, ଆରଜେଡିର ମନୋଜ ଝା ପ୍ରମୁଖ କାଶ୍ମୀର ଅଭିମୁଖେ ଯାତ୍ରା କରିଥିଲେ ।
ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେଠାକାର ପରିସ୍ଥିତି ଏବେ କେମିତି ରହିଛି ସମ୍ପୃକ୍ତ ବିରୋଧୀ ଦଳ ସଦସ୍ୟମାନେ ତାହାର ଅନୁଧ୍ୟାନ କରିଥାନ୍ତେ । ତେବେ ସମ୍ପୃକ୍ତ ନେତାମାନଙ୍କ କାଶ୍ମୀର ଗସ୍ତ ସେଠାକାର ଶାନ୍ତି ଭଙ୍ଗ କରିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ସମ୍ପୃକ୍ତ ମିଳିତ ବିରୋଧୀଙ୍କ କାଶ୍ମୀରରେ ପ୍ରବେଶ ଉପରେ ପୁଲିସ ରୋକ ଲଗାଇଛି ।
ପ୍ରକାଶ ଯେ, ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟସଭା ସଦସ୍ୟ ଗୁଲାମନବୀ ଆଜାଦ ପ୍ରଥମେ କଶ୍ମୀର ଗସ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ଜମ୍ମୁ ବିମାନ ବନ୍ଦରରେ ଅଟକ ରଖାଯାଇ ଦିଲ୍ଲୀ ଫେରାଇ ଦିଆଯାଇଥିଲା । ପୂର୍ବରୁ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ରାହୁଲଙ୍କୁ କଶ୍ମୀର ଆମନ୍ତ୍ରଣ କରି କଶ୍ମୀର ସ୍ଥିତି ସମୀକ୍ଷା ପାଇଁ ଆହ୍ୱାନ କରିଥିଲେ । କିନ୍ତୁ ରାହୁଲ ଏହାର କଡ଼ା ଜବାବ ଦେଇ କହିଥିଲେ ଯେ ସେ କାଶ୍ମୀର ଯିବା ପାଇଁ ଚାହାନ୍ତି କିନ୍ତୁ ଏଥିପାଇଁ ତାଙ୍କୁ ସ୍ୱାଧୀନତା ଦରକାର । ଅନ୍ୟ ପକ୍ଷେ ଜମ୍ମୁ କଶ୍ମୀରରେ ଅଟକ ଥିବା ରାଜନେତାମାନଙ୍କୁ ମୁକ୍ତ କରିବା ଦିଗରେ ବିରୋଧୀ ଦଳ ନେତାମାନେ ଖୁବ୍ ଶୀଘ୍ର ଆନେ୍ଦାଳନ କରିପାରନ୍ତି ବୋଲି ଜଣାପଡ଼ିଛି ।