ରାଜ୍ୟ ସରକାରଙ୍କ ଘୋଷଣା : କାଲିଠୁ ଖୋଲିବ ଜିମ, ପାର୍ଲର ଓ ସ୍ପା
ରାଜ୍ୟ ସରକାରଙ୍କ ଘୋଷଣା : କାଲିଠୁ ଖୋଲିବ ଜିମ, ପାର୍ଲର ଓ ସ୍ପା

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗତ ମେ’ ୫ରେ ଘୋଷିତ ତାଲାବନ୍ଦର ୫ମ ପର୍ଯ୍ୟାୟ ଅବଧି ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଶେଷ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଦନ କରିଛନ୍ତି । ଆଂଶିକ ଲକଡାଉନ ସରୁଥିବାରୁ ଶ୍ରୀ ମହାପାତ୍ର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । କୋଭିଡ ପରିଚାଳନା ନେଇ ସେ ସବିଶେଷ ତଥ୍ୟ ଦେଇଛନ୍ତି । ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଥିଲେ ହେଁ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ ୧ ଯାଏଁ ପୁଣି ଥରେ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ତେବେ ଚଳିତ ଘୋଷଣାରେ ସରକାର ଜୀବନ ଜୀବିକାକୁ ଗୁରୁତ୍ୱ ଦେଇଛନ୍ତି । ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ ଓ ସେଲୁନ ଆସନ୍ତାକାଲି ଠାରୁ ଖୋଲିବ । ବିନା ଦର୍ଶକରେ ଆଉଟଡୋର ସ୍ପୋର୍ଟସକୁ ସରକାର ଅନୁମତି ଦେଇଛନ୍ତି । ସାରା ରାଜ୍ୟରେ ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ଅନୁମତି ଦିଆଯାଇଛି ।
ତେବେ ପାର୍କ, ମଲ, ସିନେମା ହଲ, ମେଳା, ପ୍ରଦର୍ଶନୀ ଓ ଯାତ୍ରା ବନ୍ଦ ରହିବ । ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ । ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ । ବାର ବନ୍ଦ ରହିବ । ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ । କାଟେଗୋରୀ ‘ବି’ ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।