କାଟେଗୋରୀ ‘ଏ’ରେ ଏଣିକି ରାତି ୮ଟା ଯାଏଁ ଖୋଲିବ ଦୋକାନ
କାଟେଗୋରୀ ‘ଏ’ରେ ଏଣିକି ରାତି ୮ଟା ଯାଏଁ ଖୋଲିବ ଦୋକାନ

ଭୁବନେଶ୍ୱର:ରାଜ୍ୟରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗତ ମେ’ ୫ରେ ଘୋଷିତ ତାଲାବନ୍ଦର ୫ମ ପର୍ଯ୍ୟାୟ ଅବଧି ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଶେଷ ହେବାକୁ ଯାଉଛି । ହେଲେ ସରକାରଙ୍କ ଉଦେ୍ଧଶ୍ୟ ସମ୍ପୂର୍ଣ୍ଣ ଭାବେ ସାଧିତ ହୋଇପାରିନାହିଁ । ପ୍ରାୟ ୨୦ ଜିଲ୍ଲାରେ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ୫ଟି ଜିଲ୍ଲାରେ ଆଗପଛ ହୋଇରହିଛି । ଅବଶିଷ୍ଟ ୫ଟି ଜିଲ୍ଲାରେ ସଂକ୍ରମଣ ଯେଭଳି କମିବା କଥା ତାହା ହେଉନି । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଦନ କରିଛନ୍ତି । ଆଂଶିକ ଲକଡାଉନ ସରୁଥିବାରୁ ଶ୍ରୀ ମହାପାତ୍ର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । କୋଭିଡ ପରିଚାଳନା ନେଇ ସେ ସବିଶେଷ ତଥ୍ୟ ଦେଇଛନ୍ତି । ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଥିଲେ ହେଁ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ ୧ ଯାଏଁ ପୁଣି ଥରେ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଏହି ସମୟରେ କ’ଣ ଖୋଲିବ ଓ କ’ଣ ବନ୍ଦ ରହିବ ଜାଣନ୍ତୁ ।
କାଟେଗୋରୀ ‘ଏ’ରେ ଏଣିକି ରାତି ୮ଟା ଯାଏଁ ଦୋକାନ ଖୋଲିବ । କାଟେଗୋରୀ ‘ଏ’ରେ ସପ୍ତାହକ ୭ ଦିନ ଦୋକାନ ବଜାର ଖୋଲାରହିବ । ସେହିପରି କାଟେଗୋରୀ ‘ବି’ରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ । କାଟେଗୋରୀ ‘ବି’ରେ ସପ୍ତାହରେ ୫ ଦିନ ଦୋକାନ ବଜାର ଖୋଲିବ । ତେବେ କାଟେଗୋରୀ ‘ବି’ରେ ନାଇଟ କର୍ଫୁ୍ୟ ବଳବତ୍ତର ରହିବ । କାଟେଗୋରୀ ‘ବି’ରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ ।
ସେହିପରି ଏଣିକି ସାରା ରାଜ୍ୟରେ ବସ ସେବା ଚାଲୁ ରହିବ । ବସରେ ଯେତିକି ସିଟ ସେତିକି ଲୋକ ଯିବାକୁ ଅନୁମତି ମିଳିବ । କେବଳ ପୁରୀକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ କରାଯାଇଛି । ଟ୍ୟାକ୍ସି ଓ ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ । ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଟ୍ୟାକ୍ସି ଓ ଅଟୋ ଚାଲିବ ।
ଏହାଛଡ଼ା ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ ଓ ସେଲୁନ ଆସନ୍ତାକାଲି ଠାରୁ ଖୋଲିବ । ବିନା ଦର୍ଶକରେ ଆଉଟଡୋର ସ୍ପୋର୍ଟସକୁ ସରକାର ଅନୁମତି ଦେଇଛନ୍ତି । ସାରା ରାଜ୍ୟରେ ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ଅନୁମତି ଦିଆଯାଇଛି ।