ଭିଜିଲାନ୍‌ସ ଜାଲରେ ବିଦ୍ୟୁତ୍‌ ବିଭାଗ ଆସିଷ୍ଟାଣ୍ଟ୍‌ ମ୍ୟାନେଜର

ଭିଜିଲାନ୍‌ସ ଜାଲରେ ବିଦ୍ୟୁତ୍‌ ବିଭାଗ ଆସିଷ୍ଟାଣ୍ଟ୍‌ ମ୍ୟାନେଜର

ବାରିପଦା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଙ୍ଗିରିପୋଷି ବିଦ୍ୟୁତ୍ ବିଭାଗ  ଆସିଷ୍ଟାଣ୍ଟ ମ୍ୟାନେଜର ଜଗନ୍ନାଥ ବେହେରା । ଏକ ମାର୍କେଟ କଂପ୍ଲେକ୍ସରେ ବିଦ୍ୟୁତ ସଂଯୋଗ ପାଇଁ  ଶ୍ରୀ ବେହେରା ବିଭିନ୍ନ ଆଳରେ ଜଣେ ଉପଭୋକ୍ତାଙ୍କୁ ହଇରାଣ ହରକତ କରୁଥିଲେ। ଏପରିକି ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଏବଂ ତାର ସଂଯୋଗ ପାଇଁ ୧୦ ହଜାର ଟଙ୍କା ନେଇଥିଲେ । ପରେ କାର୍ୟ୍ୟ ସମାପ୍ତି ସାର୍ଟିଫିକେଟ ବାବଦକୁ ଆହୁରି ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ।

ବିଦ୍ୟୁତ ବିଭାଗର ଅନ୍ୟ ସମସ୍ତ ଅଧିକାରୀ  ନିଜର ଦସ୍ତଖତ ଦେଇ ସାରିଥିବା ବେଳେ ନାକେଦମ କରୁଥିଲେ ଜଗନ୍ନାଥ । ଏପରିକି ଟଙ୍କା ନ ଦେଲେ ଦସ୍ତଖତ କରିବେନି ବୋଲି କହୁଥିବାରୁ ଶେଷରେ ବାଧ୍ୟ ହୋଇ ଠିକାଦାରଜଣକ ବାରିପଦା ଭିଜିଲାନ୍ସ  ବିଭାଗରେ ଏ ନେଇ ଅଭିଯୋଗ କରିଥିଲେ।

ଯୋଜନା ମୁତାବକ ମଙ୍ଗଳବାର  ଠିକାଦାର ଅସିତ ସାହୁ  ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନୟାବସାଣଠାରେ ଆସିଷ୍ଟାଣ୍ଟ ମ୍ୟାନେଜର ଜଗନ୍ନାଥ ବେହେରାଙ୍କୁ କେମିକାଲ ରଙ୍ଗ ବଳା ୧୦ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ଟଙ୍କା ସହ ଜଗନ୍ନାଥଙ୍କୁ କାବୁ କରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କଠାରୁ ୨୦ଟି ୫୦୦ ଟଙ୍କିଆ ନୋଟ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି ।

ନିଜେ ଖୋଦ୍ ଭିଜିଲାନ୍ସ ଏସ୍ପି ଚଢ଼ାଉରେ ସାମିଲ୍ ହୋଇଥିବା ବେଳେ  ଜଗନ୍ନାଥ ବେହେରାଙ୍କ  ବାଙ୍ଗିରିପୋଷି କାର୍ୟ୍ୟାଳୟ ସହିତ ବାଙ୍ଗିରିପୋଷିସ୍ଥିତ ବାସଭବନ, ବାରିପଦାସ୍ଥିତ ବାସଭବନ ସହ ମରୋଡା ସ୍ଥିତ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରିଛି।