ବୁନୁ, ବାପୁ, ଭାଇନା... କିଏ ଦମଦାର
ବୁନୁ, ବାପୁ, ଭାଇନା... କିଏ ଦମଦାର
ଭୁବନେଶ୍ୱର: ରାଜଧାନୀରେ କାହାର କେତେ ଦମ୍? କିଏ ବେଶି ଲୋକପ୍ରିୟ? କାହା ନିର୍ବାଚନମଣ୍ଡଳୀରେ ଅଲ୍ ଇଜ୍ ୱେଲ... ଆଉ କାହା ଇଲାକାରେ ବେଶି ଅଡ଼ୁଆ? ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଲୋକପ୍ରିୟତାରେ କିଏ ଲଗାଇବ ବ୍ରେକ? ଏସବୁର ଉତ୍ତର କହିବ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିର୍ବାଚନ ଫଳାଫଳ । ୨୬ରେ ଇଭିଏମ ଖୋଲିଲେ ଜଣାପଡ଼ିଯିବ କାହାର କେତେ ଦମ୍? କିଏ ବେଶି ପ୍ରଭାବଶାଳୀ...ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା (ବୁନୁ) ନା ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ (ବାପୁ)? ନା ଭେଟେରାନ ମନ୍ତ୍ରୀ ତଥା ଏକାମ୍ରର ବରିଷ୍ଠ ବିଧାୟକ ଅଶୋକ ପଣ୍ଡା (ଭାଇନା)ଙ୍କ ଦମ୍ ଆଗରେ ବାକି ଦୁଇ ଯୁବ ବିଧାୟକ ପଛୁଆ ପଡ଼ିଯିବେ? ଏହି ଚର୍ଚ୍ଚା ଏବେ ରାଜଧାନୀ ବିଜେଡିରେ ଚାଲିଛି ।
ବିଏମ୍ସି ହେଉଛି ବିଜେଡିର ଗଡ଼ । ଜଗନ୍ନାଥ ମହାପାତ୍ରଙ୍କ ପୌରାଧ୍ୟକ୍ଷ କାର୍ଯ୍ୟକାଳ ପରଠୁ ବିଏମ୍ସି ବିଜେଡି ଦଖଲରେ ଅଛି । ତେଣୁ ଭୁବନେଶ୍ୱରରେ ବିଜେଡିର ବିଜୟ ଦଳ ପାଇଁ ସମ୍ମାନର ପ୍ରଶ୍ନ । ଦଳ କେବଳ ବିଏମସି ଦଖଲ କରିବାକୁ ଚାହୁନି, ବରଂ ବିରୋଧୀଙ୍କୁ ପୂରା ସଫା କରି ଏକପାଖିଆ ଭାବେ ଜିତିବାକୁ ଟାର୍ଗେଟ ରଖିଛି । ୨୦୧୯ ଲୋକସଭା ପରାଜୟରୁ ଦଳ ବୁଦ୍ଧି ଶିଖିଛି । ତେଣୁ ଆଉ ବିରୋଧୀଙ୍କୁ ହାଲୁକା ଭାବେ ନେଉନି । ଗତ ୨୦୧୪ ବିଏମସି ନିର୍ବାଚନରେ ବିଜେଡି ଏକତରଫା ଜିତିଥିଲା । ମାତ୍ର ଦଳ ପାଇଁ ଅଡ଼ୁଆ କରିଥିଲେ ୧୨ଜଣ ବିଦ୍ରୋହୀ, ଯିଏକି ନିର୍ଦ୍ଧଳୀୟ ଭାବେ ଜିତିଲେ । ୬୭ଟି ୱାର୍ଡରୁ ବିଜେଡି ଏକାକି ୪୯ଟି ଆସନ ଜିତିଥିବାବେଳେ ବିରୋଧୀ ବିଜେପି ୪ଟି, କଂଗ୍ରେସ ୨ଟି ୱାର୍ଡ ଜିତିଥିଲେ । ବଡ଼ କଥା ହେଲା, ଦଳ କେତେ ୱାର୍ଡ ଜିତିବ? ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ମେୟର ଆସନ କାହା ଦଖଲକୁ ଯିବ?
ମେୟର ଆସନ ଯଦି ବି ବିଜେଡି ଜିତେ, ବିଜୟ ବ୍ୟବଧାନ କେତେ ଅଧିକ ହୋଇପାରିବ, ସେଇ କାମରେ ଲାଗିପଡ଼ିଛନ୍ତି ବିଜେଡି ନେତା । ଏହାର ଦାୟିତ୍ୱ ଦିଆଯାଇଛି ଦଳର ତିନି ବିଧାୟକଙ୍କୁ । ତିନି ବିଧାୟକଙ୍କୁ ଟାର୍ଗେଟ ଦିଆଯାଇଛି- ନିଜ ନିର୍ବାଚନଣ୍ଡଳୀରୁ ଯେମିତି ଅଧିକରୁ ଅଧିକ ବିଜେଡି କର୍ପୋରେଟରଙ୍କୁ ଜିତାଇବାକୁ ଲାଗିପଡ଼ । ଗତ ଥର ଭଳି ଏଥର ବିଦ୍ରୋହୀ ସମସ୍ୟା ଯେମିତି ନ ଉପୁଜିବ, ସେଥିପାଇଁ ବିଧାୟକ ଲାଗିଛନ୍ତି । ଏହାସହ ତିନିଟା ନିର୍ବାଚନମଣ୍ଡଳୀରୁ ବିଜେଡି ମେୟର ପ୍ରାର୍ଥୀ କେତେ ଭୋଟ ପାଇବେ, ଦଳ ତାହା ଉପରେ ନଜର ରଖିଛି । ଯେଉଁ ନିର୍ବାଚନମଣ୍ଡଳୀରେ ଯେତେ ଭଲ ଫଳ ଆସିବ, ସେ ବିଧାୟକଙ୍କ ପ୍ରଭାବ ସେତେ ବଢ଼ିବ ।
ଅପରପକ୍ଷରେ ଯେଉଁ ବିଧାୟକଙ୍କ ନିର୍ବାଚନମଣ୍ଡଳୀରୁ ଅଧିକ ୱାର୍ଡ ବିଜେଡି ହାତରୁ ଖସିବ, ତାହା ବିଧାୟକଙ୍କ ଭବିଷ୍ୟତ ପାଇଁ ଅଡ଼ୁଆ କରିପାରେ । ଏହା ହିଁ ହେବ ୨୦୨୪ ଟିକେଟ ବଣ୍ଟନ ପାଇଁ ଯୋଗ୍ୟତାର ମାପକାଠି । ଏପରିକି ଆଗାମୀଦିନରେ ମନ୍ତ୍ରୀମଣ୍ଡଳରେ ଯଦି ଅଦଳବଦଳ ହୁଏ, ତେବେ ପଂଚାୟତ ଏବଂ ପୌର ନିର୍ବାଚନ ଫଳାଫଳକୁ ଦଳ ଗୁରୁତ୍ୱ ଦେବ । ତେଣୁ ତିନି ବିଧାୟକଙ୍କ ଆଖିରୁ ନିଦ ହଜିଯାଇଛି । ସବୁ ଲାଗି ପଡ଼ିଛନ୍ତି ବିଜେଡିକୁ ସଫଳତା ଦେବା କାର୍ଯ୍ୟରେ ।
୨୦୧୪ ନିର୍ବାଚନରେ ସର୍ବାଧିକ ବିଦ୍ରୋହରୀ ଏକାମ୍ରରେ ଥିଲେ । ଏଥର ଅଶୋକଙ୍କ ନିର୍ବାଚନମଣ୍ଡଳୀରେ ବିଦ୍ରୋହୀ ସଂଖ୍ୟା କମ୍ । ତଥାପି ୱାର୍ଡ ନଂ ୫୭, ୱାର୍ଡ ନଂ ୬୭, ୱାର୍ଡ ନଂ ୬୦, ୫୮ରେ ଦଳ ପାଇଁ ନିର୍ଦ୍ଧଳୀୟ ପ୍ରାର୍ଥୀ ଚିନ୍ତା ବଢ଼ାଇଥିବା ଶୁଣିବାକୁ ମିଳିଛି । ୬୫, ୬୩ ଭଳି କେତେକ ୱାର୍ଡରେ ବିଜେଡି କଡ଼ା ଟକ୍କରର ସମ୍ମୁଖୀନ ହେଉଛି ।
ଉତ୍ତର ନିର୍ବାଚନମଣ୍ଡଳୀରେ ଏଥର ବିଦ୍ରୋହୀ ସଂଖ୍ୟା ଅଧିକ ଥିଲା । ମାତ୍ର ଅଧିକାଂଶ ବିଦ୍ରୋହୀଙ୍କୁ ବୁଝାସୁଝା କରି ନାମାଙ୍କନପତ୍ର ପ୍ରତ୍ୟାହାର କରାଇ ନେବାରେ ବିଧାୟକ ସକ୍ଷମ ହୋଇଛନ୍ତି । ନିଜେ ବିଧାୟକ ସୁଶାନ୍ତ (ବାପୁ) ପୂରା ନିର୍ବାଚନମଣ୍ଡଳୀକୁ ଜଗିଛନ୍ତି । ପୂର୍ବାପେକ୍ଷା ସ୍ଥିତି ସୁଧୁରୁଥିଲେ ବି ୱାର୍ଡ ନଂ ୭, ୩, ୧୧, ୧୩ ଭଳି କେତେକ ୱାର୍ଡରେ ଦଳ ଚାଲେଞ୍ଜର ସମ୍ମୁଖୀନ ହେଉଛି । ସ୍ଥିତି ସୁଧାରିବା କାମରେ ଲାଗିଛନ୍ତି ବିଧାୟକ ।
ସବୁଠୁ ବେଶି ସମସ୍ୟା ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ (ବୁନୁ)ଙ୍କ ଇଲାକାରେ । ଏଠାରେ ବହୁ ପୂର୍ବତନ କର୍ପୋରେଟରଙ୍କ ଟିକେଟ କଟିଛି । ସେମାନଙ୍କ ଭିତରୁ ଅନେକ ବିଦ୍ରୋହୀ ପ୍ରାର୍ଥୀ ହୋଇଥିଲେ । ବୁଝାସୁଝା ପରେ କେତେକ ଓହରିଗଲେ ନିର୍ବାଚନ ମଇଦାନରୁ । ଏବେ ବି କେତେକ ପ୍ରାର୍ଥୀ ସ୍ୱାଧୀନ ଭାବେ ଲଢ଼ୁଛନ୍ତି । ଏମିତିକି ଦଳର କାର୍ଯ୍ୟାନୁଷ୍ଠାନକୁ ପରୱା କଲେନି ବିଦ୍ରୋହୀ । ୱାର୍ଡ ନଂ ୩୫, ୩୬, ୩୭, ୩୯, ୪୬ରେ ବିଦ୍ରୋହୀ ଦଳର ଚିନ୍ତା ବଢ଼ାଇଛନ୍ତି । ସେପେଟ ବିଜେପି ବି ମଧ୍ୟ ନିର୍ବାଚନମଣ୍ଡଳୀରେ ବଳ ବଢ଼ାଇଛି । ୱାର୍ଡ ନଂ ୩୩, ୪୩ରେ ବିଜେପି କଡ଼ା ଟକ୍କର ଦେଉଛି । କେତେକ ୱାର୍ଡରେ ବିଦ୍ରୋହୀ ସମସ୍ୟା ଯୋଗୁ ବିଜେପି ଫାଇଦା ନେଇପାରେ । ଦୁଇ ଦୁଇ ଥର ମେୟର ରହିବା ପରେ ପ୍ରଥମ କରି ବିଧାୟକ ହୋଇଥିବା ବୁନୁଙ୍କ ପାଇଁ ଏ ନିର୍ବାଚନ ବଡ଼ ଚାଲେଞ୍ଜ । କାରଣ ଏକଦା ତାଙ୍କ ସହ ଛାଇ ଭଳି ଲାଗି ରହିଥିବା ଅନେକ ପୂର୍ବତନ କର୍ପୋରେଟରଙ୍କ ଟିକେଟ କଟିଥିବାରୁ ସେମାନେ ଏବେ ବୁନୁଙ୍କ ବିରୋଧୀ ପାଲଟିଛନ୍ତି ।
୨୦୧୯ରେ ଅପରାଜିତା ସାଂସଦ ଭାବେ ଜିତିବା ପରେ ତାଙ୍କ ଲୋକପ୍ରିୟତା ବିଜେଡିର ଚିନ୍ତା ବଢ଼ାଇଛି । ବିଏମସି ନିର୍ବାଚନରେ ଅପରାଜିତା ବିଜେପିର ମଙ୍ଗ ଧରିଛନ୍ତି । ଅପରାଜିତାଙ୍କୁ ମାତ୍ ଦେବା ପାଇଁ ବିଏମସି ନିର୍ବାଚନରେ ବିଜେଡି ଏକତରଫା ବିଜୟ ଲକ୍ଷ୍ୟ ରଖିଛି । ଏମିତିରେ କେଉଁ ନିର୍ବାଚନମଣ୍ଡଳୀରୁ ବିଜେଡି ବେଶି ଭଲ ଫଳ ପାଇବ ଓ କେଉଁଠି ବିଜେଡି ଭୋଟ କଟିବ...., ତାହା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଏମସି ଫଳାଫଳ ତିନି ବିଧାୟକଙ୍କ ଭାଗ୍ୟ ଭବିଷ୍ୟତ, ପ୍ରଭାବର ମାପକାଠି ହେବ । ଯାହାର ଫଳ ଭଲ ଆସିବ, ତା’ର ଦବ୍ଦବା ବଢ଼ିବ । ଆଉ ଯାହା ଫଳ ଖରାପ ହେବ, ତାଙ୍କ ପ୍ରଭାବରେ ଲାଗିପାରେ ବ୍ରେକ ।




admin 