ଆତ୍ମସମର୍ପଣ କରିବାକୁ ମନାକଲେ ୟୁକ୍ରେନ୍ ସେନା, ,କହିଲେ ଛାଡ଼ିବେନି ମାରିୟୁପୁଲ୍
ଆତ୍ମସମର୍ପଣ କରିବାକୁ ମନାକଲେ ୟୁକ୍ରେନ୍ ସେନା, ,କହିଲେ ଛାଡ଼ିବେନି ମାରିୟୁପୁଲ୍
କିଭ୍: ରୁଷର ଚେତାବନୀକୁ ମାନିଲେନି। ଅତ୍ମ ସମର୍ପଣ କରିବାକୁ ମନାକଲେ ୟୁକ୍ରେନ୍ ସେନା। ଆକ୍ରମଣର ୨୬ ଦିନରେ ବି ରୁଷ ଆକ୍ରମଣର କଡ଼ା ଜବାବ ଦେବା ସହିତ ମାରିୟୁପୁଲ୍ ହାତଛଡ଼ା କରିବେ ନାହିଁ ବୋଲି କହିଲେ। ଦକ୍ଷିଣ ଓ ପୂର୍ବ ୟୁକ୍ରେନକୁ ଯୋଡ଼ୁଥିବା ଏହି ସହରକୁ ହାସଲ କରିବା ରୁଷ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଆତ୍ମସମର୍ପଣର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀ।
ମାରିୟୁପୁଲରେ ଏବେ ବି ୪ ଲକ୍ଷ ଲୋକ ଫସି ରହିଥିବା ବେଳେ ଏହାକୁ ୪ ପଟୁ ଘେରି ପ୍ରବଳ ଗୋଳିଗୋଳା ଫୁଟାଇବା ସହ ବଡ଼ ବଡ଼ ବିଲ୍ଡିଂକୁ ରକେଟ ମାଡ଼ କରୁଛି ରୁଷ। ତେଣୁ ମାରିୟୁପୁଲରେ ଖାଦ୍ୟ, ପାଣି ଆଦି ସରି ଆସୁଥିବା ବେଳେ ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟି ହେଉଥିବା ସମଗ୍ର ବିଶ୍ୱକୁ ଚେତାଇ ଦେଇଛି ରୁଷ। ଏହି ସହରରେ ଯେଉଁମାନେ ଅସ୍ତ୍ର ସହ ସମର୍ପଣ କରିବେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଯିବାକୁ ସୁଯୋଗ ଦିଆଯିବ ବୋଲି ପ୍ରସ୍ତାବ ଦେଇଛି ରୁଷ । ହେଲେ ରୁଷ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି ୟୁକ୍ରେନ ଉପ ପ୍ରଧାନମନ୍ତ୍ରୀ। ରୁଷ ସେନା ସହ କୌଣସି ଆଲୋଚନା ହେବନି ବୋଲି ସେ କହିଛନ୍ତି ।
ୟୁକ୍ରେନର ପ୍ରତ୍ୟାଖ୍ୟାନ ପରେ ରୁଷ ପକ୍ଷରୁ ଆକ୍ରମଣକୁ ଆହୁରି ତୀବ୍ର କରାଯାଇଛି । ମାରିୟୁପୁଲ ଉପରେ ପ୍ରବଳ ବୋମାମାଡ଼ ହେଉଥିବା ସୂଚନା ମିଳିଛି । ଫେବୃୟାରୀ ୨୪ ପରେ ଏବେ ମାରିୟାପୁଲ ଉପରେ ସବୁଠୁ ବଡ଼ ହାମଲା ବୋଲି କୁହାଯାଉଛି। ରୁଷର ବୋମାମାଡ଼ ଯୋଗୁ ମାରିୟୁପୁଲର ୮୦% କୋଠା ମାଟିରେ ମିଶି ସାରିଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସହରର ବଡ଼ ବଡ଼ ବ୍ରିଜ୍ ଉପରେ ରକେଟ୍ ମାଡ଼ କରିଛି ରୁଷ୍ ଏହାସହ ବଡ଼ ବଡ଼ କୋଠା, ରିଲିଫ୍ କ୍ୟାଂପ ଉପରେ ମଧ୍ୟ ଆକ୍ରମଣ କରିଛି ରୁଷ୍ । ଦୀର୍ଘ ୨୬ ଦିନ ହେବ ଏହି ଯୁଦ୍ଧ ଚାଲିଥିବା ବେଳେ ଏଥିରେ ୟୁକ୍ରେନର ହଜାର ହଜାର ସାଧାରଣ ଲୋକଙ୍କ ସମେତ ରୁଷର ୧୩ ହଜାରରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି। ରୁଷର ବହୁ ତୋପ, ବିମାନ ତଥା ଟ୍ୟାଙ୍କକୁ ନଷ୍ଟ କରାଯାଇଥିବା ୟୁକ୍ରେନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।




admin 