ବିଏମସିର ନୂଆ ଗାଇଡଲାଇନ : ବିନା ବାଜାରେ ଯିବ ବର

ବିଏମସିର ନୂଆ ଗାଇଡଲାଇନ : ବିନା ବାଜାରେ ଯିବ ବର

ବିଏମସିର ନୂଆ ଗାଇଡଲାଇନ : ବିନା ବାଜାରେ ଯିବ ବର
ଭୁବନେଶ୍ୱର: ଆଗକୁ ବାହାଘର ଋତୁ ଆସୁଥିବା ବେଳେ ଲୋକ ଏବେ ମଣ୍ଡପ, ହୋଟେଲ, ବ୍ୟାଣ୍ଡ ପାର୍ଟି, ଫୁଲ, କ୍ୟାଟେରିଂ ଆଦି ବୁକିଂ କରୁଛନ୍ତି । ଠିକ ଏହି ସମୟରେ ବିଏମସି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ବାହାଘର ଉତ୍ସବରେ ୨୦୦ ଲୋକ ଏକାଠି ହୋଇପାରିବେ । ହେଲେ ସେମାନଙ୍କୁ କରୋନା କଟକଣା ମାନି ସମସ୍ତ କାର୍ଯ୍ୟକ୍ରମ କରିବାକୁ ହେବ । ନଚେତ ହୋଟେଲ/ମଣ୍ଡପକୁ ସିଲ କରାଯିବ । ଶ୍ରୀ ଚୌଧୁରୀ କହିଛନ୍ତି ଯେ, ବାହାଘରରେ କୌଣସି ପ୍ରକାରର ଶୋଭାଯାତ୍ରା ହେବନି କି ବାଜା ଡିଜେ ବାଜିବନି । ବର ବିନା ଶୋଭାଯାତ୍ରାରେ ବିବାହ ମଣ୍ଡପକୁ ଯିବ କରୋନା ମହାମାରୀ ପାଇଁ ଏହି କଟକଣା ଲାଗୁ ହୋଇଛି । ସମସ୍ତେ ଏହାକୁ ମାନିବାକୁ ବାଧ୍ୟ । ଏହା ବ୍ୟତୀତ ଯେଉଁମାନେ ବିବାହ କିମ୍ବା କୌଣସି ପ୍ରକାର ଉତ୍ସବ କରୁଛନ୍ତି ସେମାନେ ବିଏମସିରୁ ଅନୁମତି ନେଇ କାର୍ଯ୍ୟକ୍ରମ କରନ୍ତୁ । ନଚେତ ବିଏମସି ସ୍କ୍ୱାର୍ଡ ଚଢ଼ଉ କରି ଜରିମାନା ଆଦାୟ ସହ ମଣ୍ଡପ/ହୋଟେଲ ସିଲ କରିବ । କମିସନର କହିଛନ୍ତି ଯେ ବିବାହ ଉତ୍ସବରେ ଯୋଗ ଦେଉଥିବା ସମସ୍ତ ଲୋକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ୨ ମିଟର ସାମାଜିକ ଦୂରତା ରଖିବେ । ମଣ୍ଡପ ଓ ହୋଟେଲରେ ବିଭିନ୍ନ ସ୍ଥାନରେ ହାତ ଧୋଇବା ବା ହାତ ବିଶୋଧନ ବ୍ୟବସ୍ଥା ରଖିବାକୁ ହେବ । ଯେଉଁମାନଙ୍କର ଥଣ୍ଡା, ଜ୍ୱର ହୋଇଥିବ ସେମାନଙ୍କ ବାରଣ କରିବାକୁ ହେବ । ଏହା ବ୍ୟତୀତ ବିବାହ ଉତ୍ସବ ସମୟରେ ମଣ୍ଡପ ଓ ହୋଟେଲ ଗୁଡ଼ିକରେ କି ପ୍ରକାରର ବ୍ୟବସ୍ଥା ରହିବା ଦରକାର ସେ ନେଇ ଏସଓପି ଜାରି ହେବ ।