ବାତ୍ୟା ଆଉ ଓଡ଼ିଶା,୯ ବର୍ଷରେ ୮ଟି

ବାତ୍ୟା ଆଉ ଓଡ଼ିଶା,୯ ବର୍ଷରେ ୮ଟି

ବାତ୍ୟା ଆଉ ଓଡ଼ିଶା,୯ ବର୍ଷରେ ୮ଟି


ଭୁବନେଶ୍ୱର : ୯ ବର୍ଷ ମଧ୍ୟରେ ଓଡ଼ିଶା ୮ଟି ବାତ୍ୟାର ସମ୍ମୁଖୀନ ହେଲାଣି । ବିଶେଷକରି ଗତ ତିନି ବର୍ଷ ମଧ୍ୟରେ ୫ଟି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ଯେଉଁଥିରେ ବ୍ୟାପକ କ୍ଷତି ହେବା ସହ ଧନଜୀବନ ବି ନଷ୍ଟ ହୋଇଛି । ତେବେ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ରାଜ୍ୟ ସରକାର କିଛିଟା ସଫଳ ହୋଇଛନ୍ତି । ୧୯୯୯ ମସିହା ମହାବାତ୍ୟାରେ ଓଡ଼ିଶା ଯେଉଁଭଳି ଭାବେ କ୍ଷତି ସହିଥିଲା ସେଭଳି ସ୍ଥିତି ଆଉ ନାହିଁ । ମାତ୍ର ବର୍ତ୍ତମାନ ସମୟରେ ପ୍ରତିବର୍ଷ ଏକାଧିକ ବାତ୍ୟା ଓଡ଼ିଶାକୁ ମାଡ଼ ହେବା ଚିନ୍ତାର ବିଷୟ ପାଲଟିଛି । ୧୯୯୯ ମହାବାତ୍ୟା ପରେ ଦୀର୍ଘ ୧୪ ବର୍ଷ ଧରି କୌଣସି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁ ନ ଥିଲା । ତେବେ ୨୦୧୩ରୁ ଓଡ଼ିଶା କ୍ରମାଗତ ଭାବେ ବାତ୍ୟାର ସମ୍ମୁଖୀନ ହେଉଛି । ପର୍ଯ୍ୟାୟ କ୍ରମେ ଦେଖିବାକୁ ଗଲେ, ୨୦୧୩ରେ ‘ଫାଇଲିନ’, ୨୦୧୪ରେ ‘ହୁଡହୁଡ’, ୨୦୧୭ରେ ‘ତିତଲି’, ୨୦୧୯ରେ ‘ଫନି’ ଓ ‘ବୁଲବୁଲ୍’, ୨୦୨୦ରେ ‘ଅମ୍ଫାନ’, ୨୦୨୧ ମେ’ ମାସରେ ‘ୟସ’ ବାତ୍ୟାକୁ ସାମ୍ନା କରିଥିଲା ଓଡ଼ିଶା । ଆଉ ଏବେ ପୁଣି ବାତ୍ୟା ‘ଗୁଲାବ’ ଓଡ଼ିଶାକୁ ମାଡ଼ କରିଛି । ଉପରୋକ୍ତ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ଊଣା ଅଧିକ ଓଡ଼ିଶା ଅଧିକ ପ୍ରଭାବିତ ହୋଇଛି । କେଉଁଠି ବାତ୍ୟା ସିଧାସଳଖ ଓଡ଼ିଶାକୁ ମାଡ଼ କରିଛି ତ କେବେ ଘଷି ହୋଇ ପଡେ଼ାଶୀ ରାଜ୍ୟରେ ଲ୍ୟାଣ୍ଡଫଲ୍ କରିଛି । କିନ୍ତୁ ପ୍ରତିଟି ଥର ଦେଖାଯାଇଛି ଯେ ପୂର୍ବାପେକ୍ଷା କ୍ଷୟକ୍ଷତି କମିଛି । ବିଶେଷ କରି ଧନଜୀବନ ସୁରକ୍ଷା କରି ଓଡ଼ିଶା ଏବେ ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ପାଲଟିଛି ।

ମହାବାତ୍ୟା ପରେ ‘ଫାଇଲିନ’ ସବୁଠାରୁ ଅଧିକ ଭୟାବହ ଥିଲା । ୨୦୧୩ ଅକ୍ଟୋବରରେ ସଂଘଟିତ ଏହି ବାତ୍ୟାରେ ପବନର ବେଗ ଘଣ୍ଟା ପ୍ରତି ୨୨୦ କିମି ରହିଥିଲା । ସିଧାସଳଖ ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିବା ଏହି ବାତ୍ୟା ଦ୍ୱାରା ରାଜ୍ୟର ୧୮ ହଜାର ୩୭୪ ଗ୍ରାମ ଏବଂ ୧୩.୨୪ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ । ୨୦୧୪ ଅକ୍ଟୋବରରେ ‘ହୁଡହୁଡ’ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ରହିଥିଲା । ଯେଉଁଥିରେ ୯ ହଜାର ୬୫୭ ଗ୍ରାମର ୩. ୩୪ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ । ୨୦୧୭ ଅକ୍ଟୋବରରେ ବାତ୍ୟା ‘ତିତଲି’ ଆସିଥିଲା । ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବାରୁ ୮ହଜାର ୬୯୧ ଗ୍ରାମର ୬ ନିୟୁତରୁ ଅଧିକ ଲୋକଙ୍କ ଉପରେ ପ୍ରଭାବ ପଡ଼ିଥିଲା । ୨୦୧୯ରେ ବାତ୍ୟା ‘ଫନି’ ଉପକୂଳ ଓଡ଼ିଶାର ଚିତ୍ର ବଦଳାଇ ଦେଇଥିଲା । ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଅନ୍ୟ ବାତ୍ୟାଗୁଡ଼ିକ ଭଳି ଏହା ମୌସୁମୀ ପରର ବାତ୍ୟା ନ ଥିଲା । ବରଂ ପ୍ରାକ ମୌସୁମୀ ବାତ୍ୟା ରହିଥିଲା । ମେ’ ମାସରେ ହୋଇଥିବା ଏହି ବାତ୍ୟାରେ ପବନର ବେଗ ୧୮୦ କିମି ଛୁଇଁଥିଲା । ବାତ୍ୟା ମାଡ଼ରେ ଶ୍ରୀକ୍ଷେତ୍ର ଶ୍ରୀହୀନ ହୋଇ ପଡ଼ିଥିବା ବେଳେ ରାଜଧାନୀର ରୂପ ବଦଳାଇ ଦେଇଥିଲା । ବାତ୍ୟା ପ୍ରଭାବରେ ୨୦ ହଜାର ୩୬୭ ଗାଁର ୧୫.୬୬ ନିୟୁତ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ ।

ଭାରତୀୟ ପାଣିପାଗ ବିଭାଗର କହିବା କଥା ହେଉଛି ଯେ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ସମୁଦ୍ର ତଟର ନିକଟବର୍ତ୍ତୀ ହେଲା ବେଳକୁ ମନ୍ଥର ହୋଇଯାଉଛି । ଅର୍ଥାତ୍ ଏହା ସାଧାରଣ ବେଗ ଅପେକ୍ଷା ଧୀରେ ଧୀରେ ଆଗକୁ ବଢ଼ୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହେଉଛି । ଏଥିସହ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା ପରିମାଣରେ ପରିବର୍ତ୍ତନ ଆସିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକ ଦିନ ପ୍ରବଳ ବର୍ଷା ହେଉଛି ଓ କମ୍ ଦିନ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେଉଛି ।