ବେଙ୍ଗାଲୁରରେ ଆକାଶ ଛଆଁ ଘରଭଡା , ଦୁଇ ବଖରା ଥିବା ଘରର ଭଡା ୫୦ ହଜାର ଟଙ୍କା

ବେଙ୍ଗାଲୁରରେ ଆକାଶ ଛଆଁ ଘରଭଡା , ଦୁଇ ବଖରା ଥିବା ଘରର ଭଡା ୫୦ ହଜାର ଟଙ୍କା


ବେଙ୍ଗାଲୁର : ଆକାଶ ଛୁଆଁ ହେଉଛି ଘରଭଡା । ଘର ମାଲିକମାନେ ମାସକୁ ମାସ ଗର ଭଡା ବଢାଇବାରେ ଲାଗିଛନ୍ତି । ଭଡା ଘରେ ରହୁଥିବା ଲୋକମାନଙ୍କ ଲାଗି ବାଙ୍ଗାଲୁରୁ ସହର ଦୁଃସ୍ୱପ୍ନରେ ପରିଣତ ହେବାରେ ଲାଗିଛି । ଗତ ବର୍ଷକ ଭିତରେ ଭଡା ଏତେ ବଢିଯାଇଛି ଯେ ଏକ ସାଧାରଣ ପରିବାର ଲାଗି ତାହା ଦେବା କଷ୍ଟକର ହୋଇପଡିଛି । 
୨ବିଏଚକେ ବା ଦୁଇ ବଖରା ଥିବା ଘରର ଭଡା ୫୦ ହଜାର ଟଙ୍କା ଭଳି ଉଚ୍ଚସ୍ତରରେ ପହଂଚିଛି । ଭଡାଟିଆଙ୍କ ପାଇଁ ଦେଶର ଅନ୍ୟତମ ମହଙ୍ଗା ସହର ଭାବେ ଉଭା ହୋଇଛି ବାଙ୍ଗାଲୁରୁ । ଭାରତର ସିଲିକନ୍‌ ଭାଲି ଭାବେ ପରିଚିତ ବାଙ୍ଗାଲୁରୁରେ ବହୁ ବିଶ୍ୱସ୍ତରୀୟ ଆଇଟି କଂପାନି ରହିଛନ୍ତି । ସେଥିପାଇଁ ସେଠାରେ ଭଡା ଘର ପାଇଁ ସବୁବେଳେ ଚାହିଦା ରହୁଛି । ବାଙ୍ଗାଲୁରୁରେ ଘର ଭଡା ମୁମ୍ବାଇଠାରୁ ଅଧିକ ହୋଇଛି । ପ୍ରପର୍ଟି କନ୍‌ସଲଟାନ୍ସି ସଂସ୍ଥା ଆନାରକ୍‌ର ରିସର୍ଚ୍ଚ ମୁଖ୍ୟ ପ୍ରଶାନ୍ତ ଠାକୁରଙ୍କ ମତରେ କୋଭିଡ୍‌ ସମୟରେ ପ୍ରବାସୀମାନେ ନିଜ ଘରକୁ ଫେରିଯିବାରୁ ଘର ମାଲିକମାନେ ଅତି ଶସ୍ତାରେ ଘର ଭଡା ଦେଇଥିଲେ । 

କରୋନା କଟକଣା ହଟିବା ଏବଂ ସ୍ଥିତି ସ୍ୱାଭାବିକ ହେବା ପରେ ଘରର ଚାହିଦା ବଢିବା ସହ ସେମାନେ ଭଡା ବଢାଇଛନ୍ତି । ଘର ପାଇବା ଲାଗି ଭଡାଟିଆମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡୁଛି । ଲୋକଙ୍କ ପାଇଁ ଘର ଖୋଜି ଦେଉଥିବା କିଛି ସଂସ୍ଥା ଲିଙ୍କଡ୍‌ ଇନ୍‌ ପ୍ରୋଫାଇଲ୍‌ ମାଗୁଛନ୍ତି । ବାଙ୍ଗାଲୋର ସହରର କେନ୍ଦ୍ର ସ୍ଥଳ, ହ୍ୱାଇଟ୍‌ ଫିଲ୍ଡ ଓ ଆଉଟର ରିଙ୍ଗ ରୋଡ୍‌ ଅଂଚଳରେ ଘରର ଅଧିକ ଅଭାବ ରହିଛି । ବର୍ତ୍ତମାନ ସେଠାରେ ସ୍ଥିତି ଏଭଳି ରହିଛି ଯେ ଯେଉଁମାନେ ଘର ଖଣ୍ଡିଏ ଭଡାରେ ପାଇବାରେ ସଫଳ ହେଉଛନ୍ତି ସେମାନେ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି । ଅଧିକ ଭଡା ପାଇବା ଆଶାରେ କିଛି ଘର ମାଲିକ ବଡ ଛୋଟ ଛୋଟ କୋଠରି ତିଆରି କରି ସେଥିରେ ଖଟ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଇ ମୋଟା ଅଙ୍କର ଭଡା ଆଦାୟ କରୁଛନ୍ତି । ଯାହା ଫଳରେ ଭଡାରେ ରହୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।