ଗୋଟିଏ ଖୁଆଡ଼ରେ ସିଂହ,ଭାଲୁ,ଗଧିଆ

ଗୋଟିଏ ଖୁଆଡ଼ରେ ସିଂହ,ଭାଲୁ,ଗଧିଆ

ଭୁବନେଶ୍ୱର: କୁହନ୍ତି ଶିଶୁ ସରଳ, ନିଷ୍ପାପ, ନିଷ୍କପଟ । ସେ ବୁଝେନାହିଁ ଶତ୍ରୁ କିଏ । ସମସ୍ତେ ତା’ ପାଇଁ ମିତ୍ର । ସେ ବୁଝେନାହିଁ ଖାଦ୍ୟ କ’ଣ, ଖାଦକ କ’ଣ । ସବୁ ଶିଶୁ ଏମିତି । ସେ ମଣିଷ ହୁଅନ୍ତୁ କି ବନ୍ୟପ୍ରାଣୀ ସମସ୍ତେ ସମାନ । ନନ୍ଦନକାନନ ପ୍ରାଣୀଶାବକ ସେବା ଶୁଶ୍ରୂଷା କେନ୍ଦ୍ର ରେ ସିଂହ ଛୁଆ ସାଙ୍ଗରେ ଗଧିଆ ଓ ଭାଲୁ ଛୁଆଙ୍କ ଖେଳକୂଦ ହେଉଛି ଏହହାର ଜ୍ୱଳନ୍ତ ଉଦାହରଣ । ୨ଟି ସିଂହ ଛଆ, ୨ଟି ଗଧିଆ ଛୁଆ ଓ ଏକ ଭାଲୁ ଶାବକ ମଧ୍ୟରେ ଗୋଡ଼ାଗୋଡ଼ି, ଗଡ଼ିଆତଡ଼ିଆ, ଖେଳଖେଳରେ କାମୁଡ଼ା ରାମ୍ପୁଡ଼ା ଭଳି ଦୃଶ୍ୟ ଏବେ ନନ୍ଦନକାନନ ପରିଧି ଡେଇଁ ଦେଶବିଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଯେପରି ଲାଇକ କରୁଛନ୍ତି, ସେମିତି ଅନ୍ୟପକ୍ଷରେ ଏମାନଙ୍କୁ ଦେଖିବାକୁ ନନ୍ଦନକାନନକୁ ଦର୍ଶକଙ୍କର ସୁଅ ଛୁଟିବାରେ ଲାଗିଛି । 

ଆଶ୍ଚର୍ଯ୍ୟର ବିଷୟ ହେଉଛି ସେମାନଙ୍କୁ ଅଲଗା ଅଲଗା କରି ରଖାଯାଇନାହିଁ। ଜନ୍ତୁରକ୍ଷକମାନେମାନେ ସମସ୍ତଙ୍କୁ ଏକାଠି ଖୁଆଡ଼ରେ ଖୋଲା ଛାଡ଼ିଦେଇଛନ୍ତି। ସେମାନେ ପରସ୍ପରକୁ ଆକ୍ରମଣ ନ କରି ଖେଳକୁଦରେ ମାତିଛନ୍ତି। ଲୋମଶ ଭାଲୁ ଛୁଆଟି ଗୁଲୁଗୁଲିଆ ହୋଇଥିବାରୁ ଦୁଇ ସିଂହ ଛୁଆ ତା’ ସହିତ ବେଶି ଖେଳୁଛନ୍ତି। ଗଧିଆ ଛୁଆ ଦୁଇଟି ସିଂହ ଓ ଭାଲୁ ଛୁଆଙ୍କଠାରୁ ଟିକିଏ ଉଚ୍ଚ ଅଛନ୍ତି। ତେଣୁ ସେମାନେ ତଳେ ଗଡ଼ିଆତଡ଼ିଆ ହୋଇପାରୁନାହାନ୍ତି। ତେବେ ସେମାନେ ଧାଁ ଧଉଡ଼, ଗୋଡ଼ାଗୋଡ଼ି ଖେଳରୁ ମଜା ନେଉଛନ୍ତି। ବେଶି ମଜାର କଥା ହେଉଛି, ଭାଲୁ ଛୁଆକୁ ତଳେ ଗଡ଼ାଇତଡ଼ାଇ ସିଂହ ଛୁଆମାନେ ଖେଳୁଥିବା ବେଳେ ଗଧିଆ ଛୁଆ ଦୁଇଟି ସେମାନଙ୍କୁ ଦେଖି ମନକୁ ମନ ଡେଇଁ ଡେଇଁ ଖୁସି ହେଉଛନ୍ତି। ସ୍ବଭାବ ଦୃଷ୍ଟିରୁ ଉଭୟ ଭାଲୁ ଓ ଗଧିଆ ହେଉଛନ୍ତି ସିଂହର ଖାଦକ। ସିଂହ ଓ ଗଧିଆ ମାଂସାସୀ ଓ ଭାଲୁ ପୋକଜୋକ ଓ ତୃଣ ଖାଉଥିବା ଉଭୟଭୋ‌ଜୀ। କିନ୍ତୁ ଏବେ ସେମାନଙ୍କ ପାଇଁ ଏହି ବର୍ଗୀକରଣର ଅର୍ଥ କିଛି ନାହିଁ। ମା’ କୋଳରୁ କ୍ଷୀର ଖାଇବା ବୟସ। ତେଣୁ ଏବେ ସେମାନେ ଏକାକାର।

ଜନ୍ତୁରକ୍ଷକମାନଙ୍କ କହିବା କଥା କୌଣସି କାରଣରୁ ମା’ମାନେ ଏମାନଙ୍କ ଯତ୍ନ ନ ନେବାରୁ ଏଠାକୁ ଆଣି ରଖାଯାଇଛି। ଆଖି ଫିଟିବା ଦିନରୁ ସେମାନେ ନିଜ ନିଜକୁ ହିଁ ଦେଖିଆସୁଛନ୍ତି। ବଡ଼ କଥା ହେଉଛି ଏବେ କ୍ଷୀର ଖାଇବା ବୟସ ହୋଇଥିବାରୁ ସେମାନେ ଅନ୍ୟ ଖାଦ୍ୟ ବାବଦରେ ଜାଣିପାରନ୍ତି ନାହିଁ। କାଳକ୍ରମେ ବୟସ ବଢ଼ିବା ପରେ ସେମାନଙ୍କ ଖାଦ୍ୟ ପରିବର୍ତ୍ତନ କରାଯିବ। ଉପଯୁକ୍ତ ବୟସରେ ସିଂହ ଛୁଆ ଓ ଗଧିଆ ଛୁଆ ମାଂସାସୀ ହୋଇଯିବେ। ସେମାନଙ୍କଠାରେ ହିଂସ୍ର ପ୍ରବୃତ୍ତି ଦେଖାଯିବ ଓ ସେମାନେ ଶିକାରୀ ପାଲଟିଯିବେ। ସେତେବେଳେ ସେମାନଙ୍କୁ ଅଲଗା କରିଦିଆଯିବ। ସୂଚନାଯୋଗ୍ୟ ଯେ ସିଂହ ଛୁଆ ଦୁଇଟି ଚଳିତ ବର୍ଷ ଜନୁଆରି ୨୩ ତାରିଖରେ ଏଠାରେ ଜନ୍ମ ନେଇଥିଲେ। ସିଂହୀ ରେୱା ଓ ଜିତ୍‌ର ମିଳନରୁ ଜନ୍ମ ନେଇଥିବା ୩ ଶାବକରୁ ଗୋଟିଏ ମରିଯାଇଥିଲା। ମା’ ରେୱା ଯତ୍ନ ନ ନେବାରୁ ଦୁଇ ଶାବକଙ୍କୁ ଏହି କେନ୍ଦ୍ରକୁ ଅଣାଯାଇଛି। ସେହିଭଳି ଚଳିତ ବର୍ଷ ଜାନୁଆରି ୧୮ ତାରିଖରେ ଗଧିଆ ଛୁଆ ଦୁଇଟିକୁ ଅନ୍ୟ ଏକ ଚିଡ଼ିଆଖାନାରୁ ଅଣାଯାଇଛି। ଭାଲୁ ଛୁଆଟିକୁ ଚଳିତ ବର୍ଷ ମାର୍ଚ୍ଚ ୩୧ରେ ଯାଜପୁର ସୁକିନ୍ଦା ଅଞ୍ଚଳରୁ ଉଦ୍ଧାର କରି ଅଣାଯାଇଛି।