ଫିନ୍ଲାଣ୍ଡ୍ରେ କୋଭିଡର ପ୍ରଥମ ‘ମ୍ୟୁ’ ଭାରିଆଣ୍ଟ ଚିହ୍ନଟ
ଫିନ୍ଲାଣ୍ଡ୍ରେ କୋଭିଡର ପ୍ରଥମ ‘ମ୍ୟୁ’ ଭାରିଆଣ୍ଟ ଚିହ୍ନଟ

ୱାଶିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘ଭାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ’ ବୋଲି କୁହାଯାଉଥିବା କୋଭିଡ-୧୯ର ‘ମ୍ୟୁ’ ଭାରିଆଣ୍ଟ ଏବେ ଫିନଲାଣ୍ଡରେ ଚିହ୍ନଟ ହୋଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୪୦ଟି ଦେଶରେ ଏହା ଚିହ୍ନଟ ହୋଇଥିବା ବେଳେ ଫିନଲାଣ୍ଡର ଗବେଷକମାନଙ୍କ ମତରେ ଏହି କିସମର ଭୂତାଣୁ ଅନ୍ୟ କିସମଠାରୁ ଅଧିକ କିଛି ବିପଦ ସୃଷ୍ଟି କରନ୍ତି ନାହିଁ । ଯେଉଁ କିସମଗୁଡ଼ିକ ଥରେ ରୋଗ ସଂକ୍ରମଣ ହେବା ପରେ ବା ଟିକା ନେବା କାରଣରୁ ସୃଷ୍ଟ ରୋଗ-ନିରୋଧକ କ୍ଷମତାକୁ ଟାଳିପାରନ୍ତି ସେଗୁଡ଼ିକ ସବୁଠାରୁ ବିପଜ୍ଜନକ । ମ୍ୟୁ ଭାରିଆଣ୍ଟ ହେଉଛି ସେହି କିସମର ବୋଲି ତୁର୍କୁ ବିଶ୍ୱବିଦ୍ୟାଳୟର ଭାଇରୋଲୋଜି ପ୍ରଫେସର ଇଲକା ଜୁଲକୁନେନ କହିଛନ୍ତି । ଦକ୍ଷିଣ ଆମେରିକାର କଲମ୍ବିଆ ଓ ଅନ୍ୟ ଦେଶରେ ଏହି ଭାରିଆଣ୍ଟ ସଂକ୍ରମଣ ବଢ଼ାଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଥିଲା । ଏହି ଭାରିଆଣ୍ଟକୁ ବୈଜ୍ଞାନିକ ପରିଭାଷାରେ ବି.୧.୬୨୧ ବୋଲି ନାମକରଣ କରାଯାଇଛି । ଗତମାସରେ ଡବ୍ଲୁଏଚଓ ଏହାକୁ ଭାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ ବୋଲି ଅଭିହିତ କରିଛି କାରଣ ଶରୀରର ରୋଗପ୍ରତିରୋଧୀ ବ୍ୟବସ୍ଥା ଉପରେ ଏହାର କେତେକ ମ୍ୟୁଟେସନ୍ର ପ୍ରଭାବ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ମ୍ୟୁ ଭାରିଆଣ୍ଟର କେତେକ ମ୍ୟୁଟେସନ୍ର ନାମ ହେଉଛି ଇ୪୮୪କେ, ଏନ୫୦୧ୱାଇ ଓ ଡି୬୧୪ଜି, ଯେଉଁଗୁଡ଼ିକ ବ୍ୟାପକ ଭାବେ ସଂକ୍ରମିତ ହେବା ସହ ରୋଗପ୍ରତିରୋଧକ-କ୍ଷମତାକୁ ଖାତିର କରନ୍ତି ନାହିଁ । ଦକ୍ଷିଣ ଆମେରିକା ଓ ୟୁରୋପରେ ଏହି ଭାରିଆଣ୍ଟ ବହୁ ସଂଖ୍ୟାରେ ଲୋକଙ୍କୁ ସଂକ୍ରମିତ କରିଛି ବୋଲି ଡବ୍ଲୁଏଚଓ ପକ୍ଷରୁ ଜଣାପଡ଼ିଛି ।