ପୁଣି ଚର୍ଚ୍ଚା , ବିଜେଡ଼ିକୁ ଯିବେ ଦିଲୀପ ଓ ବିଜୟଙ୍କ ପୁଅ
ପୁଣି ଚର୍ଚ୍ଚା , ବିଜେଡ଼ିକୁ ଯିବେ ଦିଲୀପ ଓ ବିଜୟଙ୍କ ପୁଅ
ଭୁବନେଶ୍ୱର : ବିଜେଡ଼ିକୁ ଯିବେ ଦିଲୀପ ରାୟ । ଦିଲୀପଙ୍କ ସହ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର ବି ବିଜେଡ଼ିରେ ମିଶିବେ । କେନ୍ଦ୍ରାପଡ଼ାରୁ ନେଇ ରାଉରକେଲା ଯାଏଁ, ରାଜନୀତିକ ମହଲରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି ।
ବିଜୁ ଜନତା ଦଳ ପ୍ରତିଷ୍ଠାରେ ଦିଲୀପ ରାୟ ଓ ବିଜୟ ମହାପାତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ପରେ ନବୀନ ସେମାନଙ୍କୁ ଦଳରୁ ବାହାରିବାର ରାସ୍ତା ଦେଖାଇ ଦେଇଥିଲେ । ବିଜେଡ଼ିରୁ ବିଦା ହେବା ପରେ ନବୀନଙ୍କ ରାଜନୀତିକ ଶତ୍ରୁ ପାଲଟି ଯାଇଥିଲେ ବିଜୟ ଓ ଦିଲୀପ । ସୁଯୋଗ ମିଳିଲେ ନବୀନ ସରକାରଙ୍କୁ ସେମାନେ କଟୁ ସମାଲୋଚନା ବି କରୁଥିଲେ । ପରେ ଦୁଇ ନେତା ବିଜେପିରେ ଯୋଗଦେଇ ନବୀନଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଥିଲେ । ତେବେ ବିଜେପିରେ ଦିଲୀପ ଓ ବିଜୟଙ୍କୁ ଗୁରୁତ୍ୱ ମିଳିନଥିଲା । ଫଳରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ବିଜେଡ଼ିକୁ ଯାଇପାରନ୍ତି ବୋଲି ପୁଣି ଚର୍ଚ୍ଚା ଜୋର ଧରିଥିଲା । ଏମିତିକି ହଠାତ ନବୀନ ନିବାସରେ ଦିଲୀପ ରାୟଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା । ତେବେ ଏହି ଚର୍ଚ୍ଚା ଚର୍ଚ୍ଚାରେ ହିଁ ରହିଯାଇଥିଲା । ନବୀନ ବିଜୟଙ୍କୁ ଦଳରେ ନେବାକୁ ଚାହୁଁନଥିବାରୁ, ଏହି ମିଶ୍ରଣ ହୋଇପାରିଲା ନାହିଁ ବୋଲି ଗଣମାଧ୍ୟମରେ ଖବର ବି ପ୍ରକାଶ ପାଇଥିଲା । ଏବେ ଚବିଶ ନିର୍ବାଚନ ପାଖେଇ ଆସୁଥିବାବେଳେ ପୁଣି ଥରେ ଦିଲୀପଙ୍କ ଘର ବାହୁଡ଼ା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲୀପଙ୍କୁ ତାଙ୍କ ଘରେ ଭେଟିବା ପରେ ଏଭଳି ଚର୍ଚ୍ଚା ହେଉଛି । ହକି ବିଶ୍ୱକପ ପାଇଁ ପ୍ରଣବ ନିମନ୍ତ୍ରଣ ଦେଇଥିବାବେଳେ ଦିଲୀପ ଫେସବୁକରେ ନବୀନଙ୍କର ପ୍ରଶଂସା ବି କରିଛନ୍ତି । ବିଜୟଙ୍କ ପ୍ରତି ଏବେବି ନବୀନଙ୍କ ରୋଷ କମିନାହିଁ । କିନ୍ତୁ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ସାଙ୍ଗରେ ନେଇ ଦିଲୀପ ବିଜେଡ଼ିରେ ମିଶିପାରନ୍ତି । ଯଦି ସେଭଳି ହୁଏ ତେବେ ଦିଲୀପ ରାଉରକେଲାରୁ ଓ ଅରବିନ୍ଦ ପାଟକୁରାରୁ ବିଜେଡ଼ି ଟିକେଟ ପାଇପାରନ୍ତି । ଏମିତିକି ଦିଲୀପଙ୍କୁ ନବୀନ ରାଜ୍ୟସଭା ବି ପଠାଇପାରନ୍ତି ବୋଲି ଆଲୋଚନା ହେଉଛି ।
ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏଭଳି ଚକିତ କରିବା ଭଳି ନିଷ୍ପତି ନେବାର ନଜିର ରହିଛି । ୨୦୦୯ରେ ବିଜେଡ଼ି ଓ ବିଜେପି ମେଂଟ ଭାଙ୍ଗିବା ପରେ ଅନେକ ବିଜେପି ଓ କଂଗ୍ରେସ ନେତା ବିଜେଡ଼ିରେ ମିଶିଥିଲେ । ୨୦୧୪ ଓ ୨୦୧୯ରେ ବି ବିରୋଧୀ ଦଳର ବହୁ ହେଭିୱେଟ ବିଜେଡ଼ିରେ ମିଶିଥିଲେ । ଭୂପିନ୍ଦର ସିଂ, ନବ ଦାସଙ୍କ ଠାରୁ ନେଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ବହୁ ନେତା ଶଙ୍ଖ ଫୁଙ୍କିଥିଲେ ।
ବିଜୟ ଓ ଦିଲୀପ ବିଜେଡ଼ିକୁ ଫେରିବେ ବୋଲି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବି ଏମିତି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସେଭଳି କିଛି ଘଟିନଥିଲା । ତେବେ ଚବିଶରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ କି ନାହିଁ ତାହାର ଉତର ସମୟ ହିଁ ଦେବ ।




admin 