ପଞ୍ଜାବ କଂଗ୍ରେସରେ ପୁଣି ଅଡୁଆ, କାଶ୍ମୀର, ପାକ ମନ୍ତବ୍ୟକୁ ନେଇ ବିବାଦ
ପଞ୍ଜାବ କଂଗ୍ରେସରେ ପୁଣି ଅଡୁଆ, କାଶ୍ମୀର, ପାକ ମନ୍ତବ୍ୟକୁ ନେଇ ବିବାଦ
ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସରେ ବିବାଦ ଥମୁନି। ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର୍ ସିଂହ ଓ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ ବିବାଦ ଥମି ନଥିବା ବେଳେ ନବ ନିଯୁକ୍ତ ଉପଦେଷ୍ଟା ମାଲୱିନ୍ଦର ସିଂହ ମାଲି ଓ ପ୍ୟାରେ ଲାଲ ଗର୍ଗଙ୍କ ପାକିସ୍ତାନ ଓ କାଶ୍ମୀର ଉପରେ ମନ୍ତବ୍ୟ ଦେବା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିବାଦୀୟ ଚିତ୍ର ପୋଷ୍ଟ କରିବାକୁ ନେଇ ବିବାଦ ତେଜିଛି। ଏହି ମାମଲାରେ ସିଧୁ ଉଭୟଙ୍କୁ ତଲବ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଦୁଇ ଉପଦେଷ୍ଟାଙ୍କ ପୋଷ୍ଟ ନେଇ କଂଗ୍ରେସ ନେତୃତ୍ୱ ଖପା ହୋଇଥିବା ବେଳେ ବିରୋଧୀ ଦଳ ବିଜେପି ଓ ଶିରୋମଣି ଅକାଳୀ ଦଳ ଶାସକ ଦଳକୁ ତୀବ୍ର ସମାଲୋଚନା କରିଛି । ନିକଟରେ ସାମାଜିକ ଗଣମାଧ୍ୟମରେ ମାଲି ଜମ୍ମୁ କାଶ୍ମୀର ଓ ସମ୍ବିଧାନର ୩୭୦ ଧାରା ଉଚ୍ଛେଦକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ପାକିସ୍ତାନ ପ୍ରତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସମାଲୋଚନାକୁ ସେ ନାପସନ୍ଦ କରିବା ସହ ଏହା ରାଜ୍ୟର ହିତରେ ନୁହେଁ ବୋଲି କହିଥିଲେ । ମାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କର ଏକ ସ୍କେଚ ବି ପୋଷ୍ଟ କରିଥିଲେ, ଯେଉଁଥିରେ ସେ ହାତରେ ବନ୍ଧୁକ ଧରି ମଣିଷ ଖପୁରିମାନଙ୍କ ଗଦା ଉପରେ ଠିଆ ହୋଇଥିବା ଦେଖାଯାଇଥିଲା । କଂଗ୍ରେସ ନେତା ମନିଷ ତିୱାରି ମଧ୍ୟ ଏ ନେଇ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛନ୍ତି ।




admin 