ନବରଙ୍ଗପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ
ନବରଙ୍ଗପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ
ନବରଙ୍ଗପୁର: ନବରଙ୍ଗପୁରରେ ଆଜି ଶକ୍ତି ପ୍ରଦର୍ଶନ କରୁଛି କଂଗ୍ରେସ । ପିସିସି କାର୍ଯ୍ୟକାରୀ ଥିବା ତଥାର ଯୁବ ଆକର୍ଷଣ ପ୍ରଦୀପ ମାଝି ଦଳ ଛାଡ଼ିବା ପରେ କଂଗ୍ରେସ ଆଜି ସେଇ ନବରଙ୍ଗପୁରରେ ହିଁ ଦଳର ବିରାଟ ସମାବେଶ ଆୟୋଜନ କରିଛି । ଏହି ବିଶାଳ ସମାବେଶ ମାଧ୍ୟମରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ସହ ବାର୍ତ୍ତା ଦେବାକୁ ଚାହୁଁଛନ୍ତି-ପ୍ରଦୀପ ଗଲେ ବି ଦଳରେ କିଛି ପ୍ରଭାବ ପଡ଼ିବ ନାହିଁ । ଏହାସହ ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ କର୍ମୀଙ୍କ ଭିତରେ ଉତ୍ସାହ ଭରିବା ସହ ଲୋକଙ୍କ ନିକଟତର ହେବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ମହାପ୍ରୟାଣ ଦିବସରେ ନବରଙ୍ଗପୁରର ଜଟାବାଲରେ କଂଗ୍ରେସ ସଂକଳ୍ପ ଦିବସ ପାଳନ କରୁଛି । ପ୍ରତିବର୍ଷ ନବରଙ୍ଗପୁରରେ ଇନ୍ଦିରାଙ୍କ ମହାପ୍ରୟାଣ ଦିବସ ପାଳନ ହେଉଥିବାବେଳେ ୨୦୧୯ ନିର୍ବାଚନ ପରେ ଏହା କଂଗ୍ରେସର ସବୁଠୁ ବଡ଼ ସମାବେଶ ହେବ ବୋଲି କୁହାଯାଉଛି । ଦଳର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନପତିଙ୍କ ନେତୃତ୍ୱରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସକୁ ସଂଗଠିତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ନବରଙ୍ଗପୁର ଜିଲ୍ଲା ସଭାପତି ମୁନା ତ୍ରିପାଠୀ କାର୍ଯ୍ୟକ୍ରମ ଆୟୋଜନର ତଦାରଖ କରୁଛନ୍ତି ।
ପ୍ରଦୀପ ମାଝୀ ଦଳ ଛାଡ଼ିବା ପରେ ତାରା ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଦକ୍ଷିଣ ଓଡ଼ିଶାରେ କଂଗ୍ରେସକୁ ପୁଣି ଥରେ ସଶକ୍ତ କରିବାକୁ ଛିଡ଼ା କରିବାକୁ ବିଭିନ୍ନ ସ୍ଥାନରେ ସମାବେଶ କରିଛନ୍ତି । ଆଜିର ସମାବେଶରେ ଦଳର ସବୁ ହେଭିୱେଟ ନେତା ସାମିଲ ହେବେ । ଏଆଇସିସି ପ୍ରଭାରୀ ଏ.ଚେଲ୍ଲାକୁମାର ଏଥିରେ ଯୋଗ ଦେବେ । କୌଣସି କାରଣବଶତଃ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇପାରୁନଥିବା ଜଣାପଡ଼ିଛି । ତେବେ ଦଳର ସବୁ ବରିଷ୍ଠ ଓ ଛାମୁଆ ସଂଗଠନ ନେତା ଏଥିରେ ସାମିଲ ହେବେ । ପ୍ରଭାରୀ ଚେଲ୍ଲାକୁମାର ଓ ବରିଷ୍ଠ ନେତା ପହଞ୍ଚିବା ପରେ ପ୍ରଥମ ଏକ ବିରାଟ ରୋଡ ସୋ ଆୟୋଜନ କରାଯାଇଛି ।
କାର୍ଯ୍ୟକ୍ରମରେ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସମେତ ବହୁ ବିଧାୟକ ଓ ସାଂସଦ ସପ୍ତଗିରି ଉଲାକା ଯୋଗ ଦେଉଥିବା ଖବର ମିଳିଛି । ଆସନ୍ତା ୬ ତାରିଖରେ ପ୍ରଦୀପ ମାଝି ବିଜେଡିରେ ଯୋଗ ଦେଉଥିବାବେଳେ ଏହା ପୂର୍ବରୁ କଂଗ୍ରେସ ନବରଙ୍ଗପୁରରେ ଦମ୍ ଦେଖାଇ ହୁଙ୍କାର ଛାଡ଼ିଛି । ପ୍ରଦୀପ ଦଳ ଛାଡ଼ିବା ନେଇ ବହୁ ନେତା ତାଙ୍କ ଉପରେ ବର୍ଷିଛନ୍ତି । ସେ ଯେଉଁଭଳି କଂଗ୍ରେସକୁ ବିଶ୍ୱାସଘାତ କଲେ, ଆଗାମୀଦିନରେ ନବରଙ୍ଗପୁରବାସୀ ତାଙ୍କୁ ଜବାବ ଦେବେ ବୋଲି କଂଗ୍ରେସ ନେତାମାନେ କହିଛନ୍ତି ।




admin 