ଛାତ୍ରୀଙ୍କୁ ସ୍ମାର୍ଟ ଫୋନ ଆଉ ଇ-ସ୍କୁଟି ଦେବୁ

ଛାତ୍ରୀଙ୍କୁ ସ୍ମାର୍ଟ ଫୋନ ଆଉ ଇ-ସ୍କୁଟି ଦେବୁ

ଛାତ୍ରୀଙ୍କୁ ସ୍ମାର୍ଟ ଫୋନ ଆଉ ଇ-ସ୍କୁଟି ଦେବୁ

ଲକ୍ଷ୍ନୌ:ମହିଳା ଭୋଟ ଉପରେ କଂଗ୍ରେସର ଆଖି। ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରି ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କ ମନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ ନେତ୍ରୀ  ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୁରୁବାର ଆଉ ଏକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଦଳ କ୍ଷମତାକୁ ଆସିବ, ତେବେ ସମସ୍ତ ଦ୍ୱାଦଶ ପାସ୍‌ ଛାତ୍ରୀଙ୍କୁ  ମାଗଣାରେ ସ୍ମାର୍ଟ ଫୋନ୍‌ ଦେବ । ଖାଲି ସେତିକି ନୁହେଁ, କଂଗ୍ରେସ ଘୋଷଣା କରିଛି ୟୁପିରେ ଦଳ ସରକାର ଗଢିଲେ ସମସ୍ତ ସ୍ନାତକ ପାସ୍‌ ଝିଅମାନଙ୍କୁ  ଇଲେକ୍‌ଟ୍ରିକ୍‌ ଚାଳିତ ସ୍କୁଟି ଦିଆଯିବ। 

ବଡ଼ କଥା ହେଲା, ବୁଧବାର ଆଗ୍ରା ଯିବାବେଳେ ବାଟରେ ପୁଲିସ ପ୍ରିୟଙ୍କାଙ୍କୁ ଅଟକାଇ ଥିଲା। ସେଇ ସମୟରେ କିଛି କଲେଜ ଛାତ୍ରୀଙ୍କୁ ରାସ୍ତାରେ ଭେଟି କଥା ହୋଇଥିଲେ ପ୍ରିୟଙ୍କା। ଛାତ୍ରୀମାନେ ପ୍ରିୟଙ୍କାଙ୍କ ସହ ଫୋଟୋ ଓ ସେଲ୍ଫି ଉଠାଇଥିଲେ । ଏହି ସମୟରେ କଲେଜ କେମିତି ଯାଉଛନ୍ତି, ସଭିଙ୍କ ପାଖେ ସ୍ମାର୍ଟ ଫୋନ ଅଛି କି ନାହିଁ, ପ୍ରିୟଙ୍କା ସେମାଙ୍କୁ ପଚାରିଥିଲି, ଏ ବାବଦରେ ସେମାନଙ୍କ ମତାମତ ବି ଲୋଡ଼ିଥିଲେ। ସେମାନଙ୍କ ମତ ଅନୁଯାୟୀ କଂଗ୍ରେସ ଘୋଷଣାପତ୍ରରେ ସ୍ମାର୍ଟ ଫୋନ ଓ ସ୍କୁଟି ବାବଦରେ ଉଲ୍ଲେଖ କରାଯିବ ବୋଲି ପ୍ରିୟଙ୍କା ସେମାଙ୍କୁ ରାସ୍ତାରେ ପ୍ରତିଶୃତି ଦେଇଥିଲେ। 24 ଘଣ୍ଟା ନ ପୂରୁଣୁ ପ୍ରିୟଙ୍କା ଟ୍ୱିଟ କରି ଏ ନେଇ ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା କରିଛନ୍ତି। 

ପ୍ରିୟଙ୍କା କହିଛନ୍ତି ଯେ, ଗତକାଲି ମୁଁ କିଛି ଛାତ୍ରୀମାନଙ୍କୁ ଭେଟିଥିଲି। ସେମାନେ କହିଥିଲେ ଯେ, ସେମାନଙ୍କ ଅଧ୍ୟୟନ ଏବଂ ସୁରକ୍ଷା ପାଇଁ ସ୍ମାର୍ଟଫୋନ୍ ଦରକାର। ମୁଁ ଅତ୍ୟନ୍ତ ଖୁସି ଯେ ଆଜି ୟୁପି କଂଗ୍ରେସ ନିର୍ବାଚନ ଇସ୍ତାହାର କିମଟି ସହ ଆଲୋଚନା କରିଥିଲା। ନିଷ୍ପତ୍ତି ଅନୁଯାୟୀ ଯଦି ଆସନ୍ତା ବର୍ଷ କଂଗ୍ରେସ ଶାସନକୁ ଫେରେ ତେବେ ଝିଅମାନଙ୍କୁ ଇଲେକଟ୍ରିକ୍‌ ଚାଳିତ  ସ୍କୁଟି ଏବଂ ସ୍ମାର୍ଟ ଫୋନ୍‌ ପ୍ରଦାନ କରାଯିବ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରିୟଙ୍କା ଗାନ୍ଧି।

ଆସନ୍ତା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବା ଘୋଷଣା ପରେ ଏହା  ଦଳର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସର ଏହି ପଦକ୍ଷେପ ରାଜ୍ୟର ମହିଳାମାନଙ୍କୁ ସୁରକ୍ଷା ଓ ସଶକ୍ତ କରାଇବାରେ ସହାୟକ ହେବ ବୋଲି କୁହାଯାଇଛି।  ଦୁଇ ଦିନ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୪୦ ପ୍ରତିଶତ ଟିକେଟ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବ ବୋଲି ଘୋଷଣା କରିଥିଲେ ପ୍ରିୟଙ୍କା।

କଂଗ୍ରେସ ଘୋଷଣାକୁ ବିଜେପି ମିଛ ପ୍ରତିଶୃତି କହିଥିବାବେଳେ କଂଗ୍ରେସ କିନ୍ତୁ ତିନି ଦଶନ୍ଧି ପରେ ୟୁପିରେ ପୁଣି କମାଲ କରିବାକୁ ଆଶା ନେଇ ଆଗେଇଛି । ପ୍ରିୟଙ୍କାଙ୍କ ନେତୃତ୍ୱରେ ୟୁପିରେ କଂଗ୍ରେସ ଅନ୍ୟ ସବୁ ବିରୋଧୀ ଦଳଠାରୁ ଅଧିକ ସକ୍ରିୟ ହୋଇପଡିଛି। ଦୁର୍ବଳ କଂଗ୍ରେସକୁ ସଂଜୀବନୀ ଦେଇ ପୁଣି ଥରେ ଛିଡ଼ା କରିବା ପାଇଁ ପ୍ରିୟଙ୍କା ପୂରା ଦମରେ ଲାଗିଥିବାବେଳେ ଦଳ ଏବେ ମହିଳା ଭୋଟ ଉପରେ ବିଶେଷ ନଜର ରଖିଛି।