ଚଳଚଞ୍ଚଳ ଭୁବନେଶ୍ୱରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଚଳଚଞ୍ଚଳ ଭୁବନେଶ୍ୱରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଚଳଚଞ୍ଚଳ ଭୁବନେଶ୍ୱରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର : ହକି ବିଶ୍ୱକପ୍‌ ପାଇଁ ରାଜଧାନୀ ଭୁବନେଶ୍ୱର ଚଳଚଂଚଳ । କିପରି ସବୁକିଛି ଭଲଭାବରେ ସଂପାଦିତ ହେବ, ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଛକ ଛକରେ କମିଶନରେଟ୍‌ ପୁଲିସ୍‌ ପଇଁତରା ମାରୁଛି । ଏପରି କଡା ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ଦୁଇ ନାବାଳିକା ଗଣଦୁଷ୍କର୍ମରେ ଶିକାର ହୋଇଛନ୍ତି । ଏନେଇ ଜିଆର୍‌ପିରେ ଅଭିଯୋଗ ପରେ ଖୋଳତାଡ ଆରମ୍ଭ ହୋଇଛି । ଦୁଇ ନାବାଳିକାଙ୍କ ବୟସ ୧୨ ଓ ୧୪ ବର୍ଷ ।

ପୀଡିତାଙ୍କ କହିବା ଅନୁସାରେ ସୋମବାର ସନ୍ଧ୍ୟା ବେଳେ ଦୁଇ ନାବାଳିକା ପଟିଆ ଷ୍ଟେସନ୍‌ ଯାଇଥିଲେ । ଠିକ୍‌ ସେହି ସମୟରେ ସେହି ଅଂଚଳରୁ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅପହରଣ କରିନେଇଥିଲେ । ଅପହରଣ ପରେ ଦୁଇ ଦୁର୍ବୃତ୍ତ ସେମାନଙ୍କୁ ପଟିଆ ଓଭରବ୍ରିଜ୍‌ ଉପରକୁ ନେଇ ଯାଇଥିଲେ । ପରେ ସେମାନଙ୍କ ହାତ ଗୋଡ ବାନ୍ଧି ରାତି ସାରା ଗଣଦୁଷ୍କର୍ମ କରିଥିଲେ । ନାବାଳିକାମାନେ ଚିତ୍କାର କରିଥିଲେ ମଧ୍ୟ ସେମାନେ ତାଙ୍କୁ ଛାଡି ନଥିଲେ । ଏ ସମ୍ପର୍କରେ କାହାକୁ କହିଲେ ମାରିଦେବାକୁ ଧମକ ବି ଦେଇଥିଲେ । ଦୁଇ ପୀଡିତା ଆଜି ସକାଳେ ଘରକୁ ଫେରି ପରିବାର ଲୋକଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ । ପରିବାର  ଲୋକ ଏନେଇ ଚାଇଲ୍‌ଡ ହେଲ୍ପଲାଇନ୍‌କୁ ଖବର ଦେବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ଚାଇଲ୍ଡ ହେଲ୍ପ ଲାଇନ୍‌ କର୍ମକର୍ତ୍ତା ଏନେଇ ଭୁବନେଶ୍ୱର ଡିସିପି ଓ ଇନ୍‌ଫୋସିଟି ଥାନାକୁ ଖବର ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଦୁଇ ପୀଡିତାଙ୍କଳ ବୟାନ ରେକର୍ଡ କରିଛି ।