ଚାକିରିରୁ ଅବସର ନେଲେ ଦୁଇ ଆଇଏଏସ୍ ଅଫିସର
ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଦୁଇ ଅଧିକାରୀ ତଥା ବରିଷ୍ଠ ଆଇଏଏସ୍ ମୋନା ଶର୍ମା ଓ ନିକୁଞ୍ଜ ସୁନ୍ଦରାୟ ସରକାରୀ ଚାକିରିରୁ ଅବସର ନେଇଛନ୍ତି । ଶ୍ରୀମତୀ ଶର୍ମା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବାବେଳେ ଶ୍ରୀ ସୁନ୍ଦରାୟ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିଲେ । ଏହି ଦୁଇ ବରିଷ୍ଠ ଆଇଏଏସଙ୍କ ଅବସର ପରେ ରାଜ୍ୟ ସରକାର ଆଇଏଏସ୍ ସତ୍ୟବ୍ରତ ସାହୁ ଓ ଚିତ୍ରା ଅରୁମୁଗମଙ୍କୁ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୧ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ସତ୍ୟବ୍ରତ ସାହୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ଶ୍ରୀ ସାହୁ ଏବେ ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ୟ୍ୟ କରୁଛନ୍ତି । ଏହାସହିତ ସେ ଅତିରିକ୍ତ ଦାୟିତ୍ୱ ଭାବେ ସ୍ୱତନ୍ତ୍ର ରିଲିଫ କମିଶନର ଓ ରାଜ୍ୟ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅତରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି ।ସେହିପରି ୧୯୯୫ ବ୍ୟାଚ୍ ଆଇଏଏସ୍ ଚିତ୍ରା ଅରୁମୁଗମ ଏବେ ଯୋଜନା ଓ ସଂଯୋଜନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ୟ୍ୟରତ ଅଛନ୍ତି । ତାଙ୍କୁ ଅତିରିକ୍ତ ଭାବେ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ନ୍ୟସ୍ତ ହୋଇଛି ।




admin 