୪ଟି କାର୍ୟ୍ୟଦିବସ ଥାଇ ବିଧାନସଭା ବନ୍ଦ ଘୋଷଣା

୪ଟି କାର୍ୟ୍ୟଦିବସ ଥାଇ ବିଧାନସଭା ବନ୍ଦ ଘୋଷଣା

ଭୁବନେଶ୍ୱର: ୪ଟି କାର୍ୟ୍ୟଦିବସ ଥାଇ ବିଧାନସଭାର ୨୭ଦିନିଆ ବଜେଟ୍ ଅଧିବେଶନକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀରେ  ଅଚାନକ ପରିବର୍ତ୍ତନ କରିବା ସହ ଚଳିତ ସପ୍ତାହରେ ଗୃହରେ ଉପସ୍ଥାପିତ ହୋଇଥିବା ୩ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ମଧ୍ୟ ସରକାର ଶେଷ ମୁହୂର୍ତ୍ତରେ ଫେରାଇ ନେଇଛନ୍ତି । ଶାସକ ବିଜେଡି  ଗୃହକୁ ମୁଲତବୀ କରିବା ନିମନ୍ତେ ପ୍ରସ୍ତାବ ଆଣିଥିଲା, ଯାହାକୁ ବାଚସ୍ପତି ଗ୍ରହଣ କରିଥିଲେ ।

ସୂଚନା ଅନୁସାରେ, ବିଧାନସଭା ଅଧିବେଶନ ୨ଟି ପର୍ୟ୍ୟାୟରେ ଫେବୃୟାରୀ ୨୧ରୁ ଏପ୍ରିଲ ୬ତାରିଖ ପର୍ୟ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ମୋଟ୍ ୨୭ଦିନ ବସିବାର କାର୍ୟ୍ୟକ୍ରମ ଥିଲା ।  କିନ୍ତୁ ଚଳିତ ବଜେଟ୍ ଅଧିବେଶନ ଫେବୃୟାରୀ ୨୧ତାରିଖରୁ ଦୁଇଟି ପର୍ୟ୍ୟାୟରେ ମୋଟ୍ ୨୩ଦିନ ଚାଲି ପାରିଛି । ଏହି ଅଧିବେଶନ କାଳରେ ଗୃହରେ ୬ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହୋଇଥିବାବେଳେ  ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ, ଜାଲ ସାର୍ଟିଫିକେଟ ର‌୍ୟାକେଟ୍ , ଫାଇଭ-ଟି ବ୍ୟବସ୍ଥା, ବାଣିକ୍ କୋଚିଂ ସେଂଟର ଉପରେ ରେଡ୍ , ମହାନଦୀ ଜଳ ବିବାଦ, କେନ୍ଦ୍ର ସରକାର ଗରିବଙ୍କ ଚାଉଳ କୋଟା କାଟିବା ଆଦି ପ୍ରସଙ୍ଗରେ ଗୃହରେ ଉଭୟ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ ।
ଏହି ଅଧିବେଶନ କାଳରେ ସରକାର ମୋଟ ୬ଟି ବିଲ୍ ଆଗତ କରିଥିବାବେଳେ ସେଥିରୁ ମାତ୍ର ଗୋଟିଏ ବିଲ୍ (ଓଡ଼ିଶା ବ୍ୟୟମଞ୍ଜୁରୀ ବିଲ-୨୦୨୩) ପାରିତ ହୋଇଛି । ଅନ୍ୟ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଯଥା- ଓଡ଼ିଶା ଆପାର୍ଟମେଂଟ ଓନରସିପ୍ ଆଣ୍ଡ ମ୍ୟାନେଜମେଂଟ ବିଲ-୨୦୨୩, ଓଡ଼ିଶା ପଛୁଆବର୍ଗ ଆୟୋଗ(ସଂଶୋଧନ) ବିଲ-୨୦୨୩, ଓଡ଼ିଶା ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ,ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା(ଓଡ଼ିଶା ସଂଶୋଧନ) ବିଲ-୨୦୨୩କୁ ଶେଷ ଦିନରେ ଫେରସ୍ତ କରିନେଇଛନ୍ତି । ଦ୍ୱିତୀୟାର୍ଦ୍ଧରେ ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଏକ ମୋସନ ଆଣିବା ପରେ ମନ୍ତ୍ରୀ ଟୁକୁନି ସାହୁ(ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ତରଫରୁ), ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ୩ଟି ବିଲକୁ ଫେରସ୍ତ କରିନେବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ବାଚସ୍ପତି ଗ୍ରହଣ କରିଥିଲେ ।ଏହି ଅଧିବେଶନ କାଳରେ ନବ ଦାସ ହତ୍ୟା ମାମଲାର ତଦନ୍ତ ଆଦି ପ୍ରସଙ୍ଗରେ ଆଗତ ଗୋଟିଏ ମୋସନ୍ ଉପରେ ଆଲୋଚନା ସହ ଗୋଟିଏ ପିଟିସନ୍ ମଧ୍ୟ ଆଗତ ହୋଇଛି ।୧୨ଟି ମୁତଲବୀ ନୋଟିସ ଆସିଥିଲାବେଳେ ସେଥିରୁ ୯ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସରକାରଙ୍କ ପକ୍ଷରୁ ମୋଟ ୬ଟି ବିବୃତ୍ତି ଏହି ଅଧିବେଶନ କାଳରେ ଗୃହରେ ଘୋଷଣା ହୋଇଛି । ୩ଟି ସିଏଜି ରିପୋର୍ଟ ଓ ୧୨ଟି ବାର୍ଷିକ ରିପୋର୍ଟ ଚଳିତ ଅଧିବେଶନରେ ଗୃହରେ ଉପସ୍ଥାପିତ ହୋଇଛି । ଚଳିତ ଅଧିବେଶନରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଆଗତ ଓ ପାରିତ ହୋଇଛି ।