ଏଡିଆର ରିପୋର୍ଟ : ୨୦୧୮-୧୯ରେ ବିଜେଡିର ଦଳୀୟ ପାଣ୍ଠି ସଂଗ୍ରହ ୨୪୯ କୋଟି
ଏଡିଆର ରିପୋର୍ଟ : ୨୦୧୮-୧୯ରେ ବିଜେଡିର ଦଳୀୟ ପାଣ୍ଠି ସଂଗ୍ରହ ୨୪୯ କୋଟି
admin
Dec 9, 2019 - 05:47
Updated: Dec 9, 2019 - 05:47
ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷରେ ବିଜୁ ଜନତା ଦଳ ସବୁ ରାଜନୈତିକ ଦଳମାନଙ୍କ ଠାରୁ ଅଧିକ ପାଣ୍ଠି ସଂଗ୍ରହ କରିଛି । ଗତ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଭାରତ ନିର୍ବାଚନ କମିସନଙ୍କ ପାଖରେ ଦଳ ଦାଖଲ କରିଥିବା ତଥ୍ୟକୁ ନେଇ ରିପୋର୍ଟ ପ୍ରକାଶ କରିଛି ଆସାସିଏସନ ଫର୍ ଡେମାକ୍ରେଟିକ୍ ରିଫର୍ମସ୍ ସଂସ୍ଥା । ରିପାର୍ଟ ପ୍ରସ୍ତୁତ ହେବା ଭିତରେ ଭାରତୀୟ ଜନତା ପାର୍ଟି ସମେତ ଭାରତୀୟ ଜାତୀୟ କଂଗ୍ରେସ ପରି ୫ଟି ଜାତୀୟ ରାଜନୈତିକ ଦଳ ଓ ୩୦ ଟି ଆଞ୍ଚଳିକ ଦଳ ନିର୍ବାଚନ କମିସନଙ୍କୁ ସେମାନଙ୍କ ଅଡିଟ୍ ରିପୋର୍ଟ ଦାଖଲ କରିନାହାନ୍ତି । ଗତ ଆର୍ଥିକ ବର୍ଷରେ ୩ଟି ଜାତୀୟ ଓ ୨୨ଟି ଆଞ୍ଚଳିକ ଦଳ ମୋଟ୍ ୧୧୬୩ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି ।
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜନୈତିକ ଦଳମାନେ ସେମାନଙ୍କର ଆୟବ୍ୟୟର ଅଡିଟ୍ ରିପୋର୍ଟ ନିର୍ବାଚନ କମିସନଙ୍କ ପାଖରେ ଦାଖଲ କରିବା ନେଇ ଗତ ଅକ୍ଟୋବର ମାସ ୩୧ ତାରିଖକୁ ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଥିଲା । ଏହି ସମୟ ଭିତରେ ମାତ୍ର ୩ଟି ଜାତୀୟସ୍ତରର ରାଜନୈତିକ ଦଳ ଓ ୨୨ଟି ଆଞ୍ଚଳିକ ଦଳ ସେମାନଙ୍କର ଅଡିଟ୍ ରିପୋର୍ଟ ଦାଖଲ କରିଥିଲେ । ଏସବୁ ରାଜନୈତିକ ଦଳମାନଙ୍କର ଅଡିଟ୍ ରିପୋର୍ଟକୁ ବିଶ୍ଲେଷଣ କରି ଏଡିଆର ପ୍ରକାଶ କରିଛି, ଗତ ଆର୍ଥିକ ବର୍ଷରେ ଓଡ଼ିଶାର ବିଜୁ ଜନତା ଦଳ ଅନ୍ୟ ସମସ୍ତ ରାଜନୈତିକ ଦଳମାନଙ୍କଠାରୁ ଅଧିକ ପାଣ୍ଠି ସଂଗ୍ରହ କରିଛି । ବିଜେଡି ମୋଟ ୨୪୯ କୋଟି ୩୧ ଲକ୍ଷ ଟଙ୍କା ସଂଗ୍ରହ କରିଛି । ଯାହାକି ଅନ୍ୟ ରାଜନୈତିକ ଦଳମାନଙ୍କ ମୋଟ ଆୟ ତୁଳନାରେ ୨୧.୪୩% । ୨୦୧୭-୧୮ ଆର୍ଥିକ ବର୍ଷରେ ଦଳ ୨୩୫ କୋଟି ୧୯ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା । ବିଜେଡି ପଛକୁ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ୧୯୨ କୋଟି ୬୩ ଲକ୍ଷ ଓ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ୧୮୮ କୋଟି ୭୧ ଲକ୍ଷ ଟଙ୍କା ସଂଗ୍ରହ କରିଛି । ଏହି ୩ଟି ଦଳର ମୋଟ ପାଣ୍ଠିର ପରିମାଣ ୬୩୦ କୋଟି ୬୭ ଲକ୍ଷ ଟଙ୍କା । ଯାହାକି ମୋଟ ଦାଖଲ କରିଥିବା ରାଜନୈତିକ ଦଳମାନଙ୍କର ପାଣ୍ଠି ପରିମାଣ ତୁଳନାରେ ୫୪.୨୨% ।
ରାଜନୈତିକ ଦଳମାନଙ୍କର ବ୍ୟୟ ତାଲିକାରୁ ଜଣାପଡ଼ିଛି, ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ସଂଗୃହୀତ ପାଣ୍ଠିରୁ ମାତ୍ର ୧୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ କରିଛି । ସେହିପରି ବିଜୁ ଜନତା ଦଳ ଗତ ଆର୍ଥିକ ବର୍ଷରେ ଖର୍ଚ୍ଚ କରିଛି ୫୦ କୋଟି ୫୭ ଲକ୍ଷ ଟଙ୍କା । ସଂଗୃହୀତ ଅର୍ଥ ଖର୍ଚ୍ଚ କରିବାରେ ଶ୍ରେଷ୍ଠ ୩ଟି ରାଜନୈତିକ ଦଳ ତାଲିକାରେ ୱାଇଏସଆର୍ କଂଗ୍ରେସ, ସିପିଏମ୍ ଓ ଏସପି ସାମିଲ ଅଛନ୍ତି । ଚାନ୍ଦା, ଇଲେକ୍ଟ୍ରୋରାଲ ବଣ୍ଡ୍ ମାଧ୍ୟମରେ ୨୫ଟି ଯାକ ରାଜନୈତିକ ଦଳ ମୋଟ ୮୯୩ କୋଟି ୬ ଲକ୍ଷ ଟଙ୍କା ସଂଗ୍ରହ କରିପାରିଛନ୍ତି । ଏସବୁ ରାଜନୈତିକ ଦଳମାନେ ୧୪୧ କୋଟି ଟଙ୍କା ସେମାନଙ୍କର ସଭ୍ୟ ସଂଗ୍ରହ ଅଭିଯାନ ଫି ବାବଦରେ ଗ୍ରହଣ କରିଥିବା ଅଡିଟ୍ ରିପୋର୍ଟରେ ଉଲ୍ଲେଖ ରହିଛି । ଏଡିଆର ରିପୋର୍ଟ ଅନୁଯାୟୀ, ସମାଜବାଦି ପାର୍ଟି ଦାଖଲ କରିଥିବା ତଥ୍ୟରେ ତାଳମେଳ ରହୁନି । ୨୫ଟି ରାଜନୈତିକ ଦଳ ସେମାନଙ୍କ ଆୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି । ୫୦% ଅର୍ଥ ଚାନ୍ଦା ଜରିଆରେ ରାଜନୈତିକ ଦଳମାନେ ପାଉଥିଲେ ବି ଚାନ୍ଦା ଦେଉଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ ସବିଶେଷ ତଥ୍ୟ ଦାଖଲ କରିନାହାନ୍ତି ।