ଆୟୁଷ୍ମାନ ପାଇଁ କସରତ
ଆୟୁଷ୍ମାନ ପାଇଁ କସରତ
admin
Jun 4, 2019 - 09:25
Updated: Jun 4, 2019 - 09:25
ଭୁବନେଶ୍ୱର: ଆଜି ଓଡିଶାରେ କେନ୍ଦ୍ରସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରିତାକୁ ନେଇ ଆଲୋଚନା ହୋଇଛି । ଏନେଇ ସଚିବାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ଆଲୋଚନା ହେଉଛି । ଆୟୁଷ୍ମାନ ଯୋଜନାର ସିଇଓ ଓ ଅନ୍ୟ ଅଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଛନ୍ତି, ଏହା ଥିଲା ପ୍ରାଥମିକସ୍ତରର ଆଲୋଚନା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପାଦେୟତା ବାବଦରେ ଅବଗତ କରାଯାଇଛି । ଆହୁରି ମଧ୍ୟ ଗୋଟିଏ ଦୁଇଟି ପର୍ଯ୍ୟାୟ କଥାବାର୍ତା ହେବାର ଅଛି । କଥାବାର୍ତା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ବୈଠକ ପରେ ଆୟୁଷ୍ମାନ ଯୋଜନାର ସିଇଓ ଇନ୍ଦୁଭୂଷଣ ପ୍ରତିକ୍ରିୟା ରଖିଛନ୍ତି ଯେ, ରାଜ୍ୟ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ଓଡିଶା, ଦିଲ୍ଲୀ, ତେଲେଙ୍ଗନା,ପଶ୍ଚିମବଙ୍ଗ ଏହାକୁ ଗ୍ରହଣ କରିନାହାନ୍ତି । ଏବେ ଆଶା କରୁଛି କି ଓଡିଶା ସମେତ ଏସବୁ ରାଜ୍ୟ ଏହାକୁ ଗ୍ରହଣ କରିବେ ।
ସୂଚନାଯୋଗ୍ୟ ଯେ, ପୂର୍ବରୁ କେନ୍ଦ୍ର ପକ୍ଷରୁ ଏ ନେଇ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା| ତେବେ ଓଡିଶା ସରକାର ଏହାକୁ ପ୍ରତ୍ୟାଖାନ କରିଦେଇଥିଲେ | କେନ୍ଦ୍ରର ଏହି ଯୋଜନାରେ ୨୫ଟି ରାଜ୍ୟ ସାମିଲ ହୋଇଥିଲେ | ଓଡିଶା ସମେତ ୫ଟି ରାଜ୍ୟ ଏହି ଯୋଜନାରେ ସାମିଲ ହେବାକୁ ମନା କରିଦେଇଥିଲେ | ସୋମବାର ଦିନ ଡ. ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ପ୍ରତିଟି ଲୋକ କିଭଳି ସାମିଲ ହୋଇପାରିବେ ତାହା ତାଙ୍କର ପ୍ରାଥମିକତା ରହିବ |