ଆସନ୍ତାକାଲିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, କିପରି ରହିଛି ବ୍ୟବସ୍ଥା ଜାଣନ୍ତୁ
ଆସନ୍ତାକାଲିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, କିପରି ରହିଛି ବ୍ୟବସ୍ଥା ଜାଣନ୍ତୁ
ଢେଙ୍କାନାଳ: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ୪ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ମହିମାଗାଦିର ବିଭିନ୍ନ ମଠ ଓ ମହିମା ସମାଜ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚି ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ମହିମା ସାଧୁସନ୍ଥମାନେ ମହିମାଗାଦିରେ ପହଞ୍ଚିବାରେ ଲାଗିଛନ୍ତି । ସାଧୁସନ୍ଥ ଓ ମହିମା ଭକ୍ତଙ୍କ ଆଗମନରେ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି । ଚଳିତ ବର୍ଷ ୧୫୦ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ତଥା ମାଘମେଳା ପାଳନ ହେଉଥିବାରୁ ଏହାକୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଗୁରୁଗାଦିରେ ନୀତିକାନ୍ତି ପାଇଁ ମହିମା ସାଧୁସନ୍ୟାସୀ ପ୍ରସ୍ତୁତି ଚଳାଇଥିବା ବେଳେ ବ୍ୟବସାୟୀମାନେ ପସରା ମେଳାଇବାକୁ ତମ୍ବୁ ଟାଣିବା ଆରମ୍ଭ କରିଦଲେଣି । ଯାହାକୁ ନେଇ ଯୋରନ୍ଦା ଏବେଠାରୁ ଉତ୍ସବ ମୁଖର ହୋଇ ଉଠିଲାଣି ।
ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘମେଳା ବେଶ୍ ଆଡ଼ମ୍ବର ସହକାରେ ହୋଇଥାଏ । ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ଜଗତ ଭକତର ମଙ୍ଗଳ କାମନା କରି ଝାଡ଼ଦୀପ ପ୍ରଜ୍ୱଳନ କରାଯାଇଥାଏ । ତେବେ ଗତ ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ମେଳା ଫିକା ପଡ଼ିଥିଲା । ସୀମିତ ଭକ୍ତଙ୍କ ମଧ୍ୟରେ ନୀତିକାନ୍ତି ହୋଇଥିଲା । ଚଳିତଥର ବିନା କଟକଣାରେ ମେଳା ହେବାକୁ ଥିବା ବେଳେ କୌପିନଧାରୀ ମହିମା ସମାଜର ବତୀ ମନ୍ଦିର, ଧ୍ୱନୀ ମନ୍ଦିର ଆଦି ଉଚ୍ଛେଦକୁ ନେଇ ପ୍ରାରମ୍ଭରୁ ବିବାଦ ଉପୁଜିଥିଲା । ବହୁବାର ବୈଠକ ପରେ ବିବାଦ ଥମିବା ସହ ମେଳା ପାଇଁ ବାଟ ଫିଟିଛି । ତେଣୁ ଚଳିତ ବର୍ଷ ଜାକଜକମରେ ମେଳା ପାଇଁ ପ୍ରସ୍ତୁତି ଚାଲିଛି ।




admin 