ଆଜି ୭ ଜିଲ୍ଲାରେ ହୋଇପାରେ ବର୍ଷା
ଆଜି ୭ ଜିଲ୍ଲାରେ ହୋଇପାରେ ବର୍ଷା
admin
Mar 12, 2021 - 05:43
Updated: Mar 12, 2021 - 05:43
ଭୁବନେଶ୍ୱର : ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଥିଲା । ରାଜ୍ୟରେ ଏବେ ତାପମାତ୍ରା ସ୍ଥିର ରହିଛି । ଆସନ୍ତା ୪ ଓ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ଆଜି ରାଜ୍ୟର ୭ ଜତଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏ ନେଇ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲା ଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟ ପକ୍ଷରେ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏହି ସପ୍ତାହରେ ଓଡ଼ିଶା ସମେତ ଉତ୍ତର ଭାରତରେ ତାପମାତ୍ରା ବଢ଼ିବା ପରିବର୍ତ୍ତେ କମିଛି । ପଶ୍ଚିମା ପବନ ସହ ବାୟୁ ଦିଗରେ ପରିବର୍ତ୍ତନ ସମ୍ଭାବନା ରହିଛି । ଅନୁମାନ କରାଯାଉଛି କି, ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୧୪ ତାରିଖ ପର୍ଯ୍ୟନ୍ତ ବଢ଼ିବ ନାହିଁ । ପଶ୍ଚିମ ଓଡ଼ିଶାରେ ସାମାନ୍ୟ ବଢ଼ିବ । ତେବେ ୧୫ ତାରିଖରୁ ରାଜ୍ୟର ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ । ଭୁବନେଶ୍ୱର ତାପମାତ୍ରା ୧୬ ତାରିଖ ସୁଦ୍ଧା ୪୦ ଡିଗ୍ରୀ ପାଖାପାଖି ହେବାର ସମ୍ଭାବନା ରହିଛି ।