ଅକ୍ଟୋବର ୨୮ରୁ ବିହାର ନିର୍ବାଚନ

ଅକ୍ଟୋବର ୨୮ରୁ ବିହାର ନିର୍ବାଚନ

ଅକ୍ଟୋବର ୨୮ରୁ ବିହାର ନିର୍ବାଚନ
ନୂଆଦିଲ୍ଲୀ : କରୋନା ସମୟରେ ବହୁ ପ୍ରତୀକ୍ଷିତ ବିହାର ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି ଭାରତୀୟ ନିର୍ବାଚନ କମିଶନ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ୩ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟ, ନଭେମ୍ବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ଓ ନଭେମ୍ବର ୭ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୧୦ରେ ବିହାର ନିର୍ବାଚନର ଫଳାଫଳ ଘୋଷଣା କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୂଚନା ପ୍ରଦାନ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ବିହାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୮ରେ ୭୧ ଆସନ ପାଇଁ ନିର୍ବାଚନ ହେବାର ଥିବାବେଳେ ଏଥିପାଇଁ ଅକ୍ଟୋବର ପହିଲାରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୮କୁ ନାମାଙ୍କନର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୩ରେ ୯୪ ଆସନରେ ନିର୍ବାଚନ କରାଯିବ । ଏଥିପାଇଁ ଅକ୍ଟୋବର ୯ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ଥିବାବେଳେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି ଅକ୍ଟୋବର ୧୬ । ଅପରପକ୍ଷରେ ନଭେମ୍ବର ୭ରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏଥିପାଇଁ ଅକ୍ଟୋବର ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୧କୁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୧୦ରେ ବିହାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି ଇସିଆଇ ସୂଚନା ପ୍ରଦାନ କରିଛନ୍ତି । କରୋନା ସମୟରେ ବିହାର ଭଳି ଏକ ବଡ଼ ରାଜ୍ୟରେ ନିର୍ବାଚନ ହେଉଥିବାରୁ କୋଭିଡ଼ ଗାଇଡ଼ଲାଇନ ପ୍ରତି ଇସିଆଇ ଯଥେଷ୍ଟ ଧ୍ୟାନ ଦେଇଛନ୍ତି । ଅନ୍ୟ ସମୟ ଅପେକ୍ଷା ଏହି ସମୟ ପାଇଁ ପ୍ରାର୍ଥୀଙ୍କ ପ୍ରଚାର, ନାମାଙ୍କନ ପତ୍ର ଦାଖଲ, ଶୋଭାଯାତ୍ରା ଉପରେ ବହୁ କଟକଣା ଲାଗିଛି । ଇସିଆଙ୍କ ଘୋଷଣା ଅନୁଯାୟୀ, ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ବେଳେ ତାଙ୍କ ସାଙ୍ଗରେ ମାତ୍ର ଦୁଇ ଜଣ ଯାଇପାରିବେ । ପ୍ରଚାର ପାଇଁ ମାତ୍ର ୨ଟି ଗାଡ଼ି ବ୍ୟବହାର କରିବା ସହ ଘରକୁ ଘର ବୁଲି ପ୍ରଚାର ବେଳେ ପ୍ରାର୍ଥୀଙ୍କୁ ମିଶାଇ ମାତ୍ର ୫ ଜଣ ରହିପାରିବେ । ୪୨ ହଜାର ବୁଥରେ ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ହୋଇଥିବାବେଳେ ଆଜିଠାରୁ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । କୌଣସି ସ୍ଥାନରେ ଲୋକେ ଏକତ୍ରିତ ହେଲେ ସେଠାରେ ସାମାଜିକ ଦୂରତା ଉପରେ ଧ୍ୟାନ ରଖିବାକୁ ପଡ଼ିବ । ନିର୍ବାଚନୀ ସଭାରେ କେତେ ଲୋକଙ୍କୁ ଅନୁମତି ମିଳିବ ତାହା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଥିର କରିବେ । ଯେଉଁ ଗ୍ରାଉଣ୍ଡରେ ନିର୍ବାଚନୀ ସଭା ହେବ ସେଠାରେ ସାମାଜିକ ଦୂରତାକୁ ନିଶ୍ଚିତ କରିବା ପାଇଁ ବୃତାକାର କ୍ଷେତ୍ର ଟଣାଯିବ । କରୋନା ଆକ୍ରାନ୍ତଙ୍କୁ ମଧ୍ୟ ମତଦାନର ସୁଯୋଗ ମିଳିବ । ନିର୍ବାଚନର ଶେଷ ଘଂଟାରେ ସେମାନେ ମତଦାନ କରିବେ । ପ୍ରତି ବୁଥରେ ୧ ହଜାର ମଧ୍ୟରେ ଭୋଟର ଭୋଟ ଦେବେ । ୨୦୧୫ରେ ବିହାରରେ ୬ କୋଟି ୭୦ ଲକ୍ଷ ମତଦାତା ଥିବାବେଳେ ଏବେ ତାହା ୭ କୋଟି ୨୦ ଲକ୍ଷକୁ ବୃଦ୍ଧି ପାଇଛି । କୋଭିଡ଼ ସମୟରେ ଏହା ବିଶ୍ୱର ବଡ଼ ନିର୍ବାଚନ ହେବବୋଲି ସିଇସି ପ୍ରକାଶ କରିଛନ୍ତି । ୮୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ଲୋକଙ୍କୁ ପୋଷ୍ଟାଲ ବାଲାଟ ସୁବିଧା ମିଳିପାରିବ । ସେହିପରି ଭିନ୍ନକ୍ଷମ, କରୋନା ଆକ୍ରାନ୍ତଙ୍କର ସ୍ୱତନ୍ତ୍ର ଯନô ନିଆଯିବ । ସୂଚନାଯୋଗ୍ୟଯେ, ନଭେମ୍ବର ୨୯ରେ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏସସିଙ୍କ ପାଇଁ ୩୮ ଓ ଏସଟିଙ୍କ ପାଇଁ ୨ ଆସନ ସଂରକ୍ଷିତ ରହିଛି । ନିର୍ବାଚନ ପାଇଁ ୭ ଲକ୍ଷରୁ ଉଦ୍ଧ୍ୱର୍ ସାନିଟାଇଜର ୟୂନିଟ, ୪୬ ଲକ୍ଷ ମାସ୍କ, ୬ ଲକ୍ଷ ପିପିଇ କିଟ, ୬.୭ ଲକ୍ଷ ଫେସ ସିଲଡ଼, ୨୩ ଲକ୍ଷ ହଳ ହ୍ୟାଣ୍ଡ ଗ୍ଲୋଭସର ବ୍ୟବସ୍ଥା କରାଯାଇଛି ।