୭ ରୁ ବିଦେଶରୁ ଫେରିବେ ଭାରତୀୟ
୭ ରୁ ବିଦେଶରୁ ଫେରିବେ ଭାରତୀୟ
admin
May 5, 2020 - 09:24
Updated: May 5, 2020 - 09:24
ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ବିଦେଶରେ ଅନେକ ଭାରତୀୟ ଏବେ ବି ଫସି ରହିଛନ୍ତି । ବିମାନ ସେବା ବନ୍ଦ ରହିଥିବାରୁ ସେମାନେ ଫେରିପାରୁନାହାନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମେ ୭ ତାରିଖରୁ ପର୍ଯ୍ୟାୟ ଭିତ୍ତିରେ ଭାରତୀୟଙ୍କୁ ବିଦେଶରୁ ଆଣିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ଭାରତୀୟ ଉଚ୍ଚାୟୁକ୍ତ ଓ ରାଷ୍ଟ୍ରଦୂତମାନେ ଏବେ ବିଦେଶରେ ଥିବା ଭାରତୀୟଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି । ପେମେଣ୍ଟ ଭିତ୍ତିରେ ସେମାନଙ୍କ ପାଇଁ ସୁବିଧା ଉପଲବ୍ଧ ହେବ । ବିମାନ ଏବଂ ନୌସେନା ଜାହାଜ ଏଥିପାଇଁ ବ୍ୟବହାର କରାଯିବ । ଅଣଅଧିସୂଚିତ ବାଣିଜ୍ୟିକ ବିମାନ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ । ଉଡାଣ ପୂର୍ବରୁ ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଙ୍ଗ କରାଯିବ । କରୋନା ଲକ୍ଷଣ ନଥିବା ଭାରତୀୟଙ୍କୁ ଫେରିବାକୁ ଅନୁମତି ମିଳିବ । ଯାତ୍ରା ସମୟରେ ସମସ୍ତେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରୋଟୋକଲ ପାଳନ କରିବାକୁ ବାଧ୍ୟ ହେବେ ।
ଭାରତରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ସେମାନଙ୍କର ଆରୋଗ୍ୟ ସେତୁ ଆପ୍ଲିକେସନରେ ପଞ୍ଜୀକରଣ କରାଯିବ । ଏହା ପରେ ସମସ୍ତଙ୍କର ସ୍କ୍ରିନିଙ୍ଗ କରାଯିବ । ସ୍କ୍ରିନିଙ୍ଗ ପରେ ସମସ୍ତେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ । ପେମେଣ୍ଟ ଭିତ୍ତିରେ ସେମାନେ ହସ୍ପିଟାଲ ଅଥବା ଅନ୍ୟ କୌଣସି କ୍ୱାରେଣ୍ଟାଇନ ସେଣ୍ଟରରେ ରହିପାରିବେ । ୧୪ ଦିନ ପରେ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ । ଏହା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ରାଜ୍ୟ ସରକାରମାନେ ବିଦେଶ ଫେରନ୍ତା ଯାତ୍ରୀଙ୍କ ନିମନ୍ତେ ଟେଷ୍ଟିଙ୍ଗ, କ୍ୱାରେଣ୍ଟାଇନ ଏବଂ ଯିବା ଆସିବା ଦାୟିତ୍ୱ ବୁଝିବେ । ବିଦେଶରୁ ଫେରିବା ପରେ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ପଠାଇ ଦିଆଯିବ । ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେବା ବେଳେ ଭାରତ ସରକାର ବିଦେଶରେ ଥିବା ଅନେକ ଭାରତୀୟଙ୍କ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିଥିଲେ । ଏଥିପାଇଁ ସରକାର ସବୁ ଖର୍ଚ୍ଚ ବହନ କରିଥିଲେ । ଏୟାର ଇଣ୍ଡିଆ ଭଡ଼ା ବାବଦ ବିଲ୍ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନିକଟକୁ ପଠାଇଥିଲା ।