୪୪ ହଜାର ଟଙ୍କାରେ ସରପଞ୍ଚ ପଦ ଫାଇନାଲ୍
୪୪ ହଜାର ଟଙ୍କାରେ ସରପଞ୍ଚ ପଦ ଫାଇନାଲ୍
ବଲାଙ୍ଗିର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ବିଲେଇସର୍ଡା ଗାଁରେ କିନ୍ତୁ ନିର୍ବାଚନକୁ ନେଇ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି। ନିର୍ବାଚନରେ କିଏ ହେବ ସରପଞ୍ଚ ପ୍ରାର୍ଥୀ, ସେଥିପାଇଁ ବୈଠକ ଡକାଯାଇଥିଲା। ବୈଠକରେ ଜଣେ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ଆଉ ଏଥିପାଇଁ ସରପଞ୍ଚ ପ୍ରାର୍ଥୀ ଦେଇଛନ୍ତି ୪୪ ହଜାର ଟଙ୍କା। ଏଠାରେ ତିନୋଟି ଗାଁର ଲୋକେ ବାସ କରନ୍ତି। ତିନି ଗାଁର ମୁରବୀ ମାନଙ୍କୁ ନେଇ ଶୁକ୍ରବାର ବିଲେଇସର୍ଡା ଗାଁରେ ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ କେବଳ ଜଣେ ସରପଞ୍ଚ ପ୍ରାର୍ଥୀ ହେବେ। ଆଉ ସରପଞ୍ଚ ନିଜ ଖୁସିରେ କିଛି ଯୋଗଦାନ ଯଦି କରିବେ, ତାହେଲେ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ପ୍ରାର୍ଥୀ କରାଯିବ। ଆଉ ବୈଠକରେ ଗାଁର ସୁଶାନ୍ତ ଛତ୍ରିଆଙ୍କୁ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିଲା। ଅର୍ଥାତ୍ ପଞ୍ଚାୟତ ନିର୍ବାଚନରେ ତାଙ୍କ ବିରୋଧରେ କୌଣସି ପ୍ରାର୍ଥୀ ଛିଡ଼ା ହେବେନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଯିଏ ବି ସରପଞ୍ଚ ହେବେ ସେ ଗାଁରେ ଥିବା ଜଗନ୍ନାଥ ମନ୍ଦିର ପାଇଁ ସ୍ୱଇଚ୍ଛାରେ କିଛି ଦାନ କରିବ ବୋଲି ସର୍ତ୍ତ ରଖାଯାଇଥିଲା। ସରପଞ୍ଚ ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ସୁଶାନ୍ତ ମନ୍ଦିର ପାଇଁ ୪୪ ହଜାର ଟଙ୍କା ଦାନ କରିବାକୁ ରାଜି ହୋଇଥିଲେ। ଆଉ ୪୪ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଦେବା ପରେ ସୁଶାନ୍ତଙ୍କୁ ସରପଞ୍ଚ ପାଇଁ ମନୋନୀତ କରିଥିଲେ ପଞ୍ଚାୟତବାସୀ। ତେବେ ସରପଞ୍ଚ ପାଇଁ ଅନ୍ୟ ପ୍ରାର୍ଥୀ ମଧ୍ୟ ଥିଲେ। କିନ୍ତୁ ସୁଶାନ୍ତଙ୍କ ନାଁରେ ପଞ୍ଚାୟତବାସୀ ମୋହର ମାରିଥିଲେ। କାରଣ ଅନ୍ୟ ପ୍ରାର୍ଥୀ ମଧ୍ୟ ସୁଶାନ୍ତଙ୍କ ଚୟନକୁ ସ୍ୱାଗତ କରିଥିଲେ। ସର୍ତ୍ତ ମୁତାବକ ମୁଁ ଟଙ୍କା ଦାନ କରିବାକୁ ରାଜି ହୋଇଥିଲି। ଆଉ ସମସ୍ତେ ମୋତେ ସମର୍ଥନ କରି ସରପଞ୍ଚ ପ୍ରାର୍ଥୀ କରିବାକୁ ସହମତ ହୋଇଥିଲେ। ଅନ୍ୟ ଆଶାୟୀ ସରପଞ୍ଚ ପ୍ରାର୍ଥୀ ମଧ୍ୟ ମୋତେ ସମର୍ଥନ କରିଥିଲେ। ନିର୍ବାଚନ ପାଇଁ ମୁଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବି ବୋଲି ସୁଶାନ୍ତ କହିଛନ୍ତି।




admin 