୨୧୭୩ ସହକାରୀ ଶିକ୍ଷକଙ୍କୁ ପଦୋନ୍ନତି, ସ୍ୱାଗତ କଲା ଓଷ୍ଟା
୨୧୭୩ ସହକାରୀ ଶିକ୍ଷକଙ୍କୁ ପଦୋନ୍ନତି, ସ୍ୱାଗତ କଲା ଓଷ୍ଟା
admin
Sep 16, 2020 - 06:19
Updated: Sep 16, 2020 - 06:19
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ପଦକ୍ଷେପ । ପ୍ରଧାନଶିକ୍ଷକ ପଦବି ଖାଲି ପଡ଼ିଥିବା ୨୬୦୦ରୁ ଅଧିକ ହାଇସ୍କୁଲ ମଧ୍ୟରୁ ୨୧୭୩ ପଦ ପୂରଣ ହୋଇଛି । ଏଥିପାଇଁ ୨୧୭୩ ଜଣ ସହକାରୀ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ପଦବୀକୁ ପଦୋନ୍ନତି କରାଯାଇଛି । ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ସରକାର ପ୍ରଧାନ ଶିକ୍ଷକ ପଦବିକୁ ପଦୋନ୍ନତି ଦେଇପାରୁନଥିବାରୁ ପ୍ରାୟ ୨୬୦୦ ହାଇସ୍କୁଲରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଏ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷା ସଂଘ (ଓଷ୍ଟା) ମଧ୍ୟ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପଦ ପୂରଣ ଲାଗି ଦାବି କରି ଆସୁଥିଲା । ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ପ୍ରାୟ ବର୍ଷେ ତଳେ ସବୁ ବିଭାଗର ପଦୋନ୍ନତିକୁ ତ୍ୱରାନ୍ୱିତ କରିବ ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ଏହା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ପଦୋନ୍ନତି ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସହକାରୀ ଶିକ୍ଷକରୁ ପ୍ରଧାନଶିକ୍ଷକ ପଦକୁ ବରିଷ୍ଠତା ଭିତ୍ତିରେ ପଦୋନ୍ନାତି ଦେବାର ବ୍ୟବସ୍ଥା ଥିବା ବେଳେ ଶିକ୍ଷକଙ୍କ ମଧ୍ୟରେ ଗଠନ କରାଯାଇଥିବା ସାଧାରଣ କ୍ୟାଡର ବ୍ୟବସ୍ଥାକୁ ବିରୋଧ କରି କିଛି ବ୍ୟକ୍ତି ଅଦାଲତ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମଧ୍ୟ ଏହା ଉପରେ ରହିତାଦେଶ ଜାରି କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମହାଧିବକ୍ତା ଓ ଓଷ୍ଟା ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଦିଲ୍ଲୀପ କୁମାର ମହାପାତ୍ର କେସ ଲଢ଼ି ରହିତାଦେଶକୁ ଉଚ୍ଛେଦ କରିବାରେ ସହାୟକ ହୋଇଥିଲେ । ଫଳସ୍ୱରୂପ ପ୍ରଧାନଶିକ୍ଷକ ପଦୋନ୍ନତି ଦେବା କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହୋଇ ପାରିଥିଲା । ବିଭାଗୀୟ ସଚିବ ସତ୍ୟବ୍ରତ ସାହୁଙ୍କ ତ୍ୱରିତ ପଦକ୍ଷେପ ଫଳରେ ଖାଲି ପଡ଼ିଥିବା ୨୫୪୭ ପ୍ରଧାନଶିକ୍ଷକ ପଦ ମଧ୍ୟରୁ ୨୧୭୩ ଜଣ ପ୍ରଧାନଶିକ୍ଷକ ପଦବି ପୂରଣ ହୋଇପାରିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ନିଷ୍ପତ୍ତିକୁ ଓଷ୍ଟା ପକ୍ଷରୁ ଐତିହାସିକ ପଦକ୍ଷେପ ଦର୍ଶାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ସଚିବ ଶ୍ରୀ ସାହୁ, ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶକ ପ୍ରଦୀପ କୁମାର ଦାଶଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଓଷ୍ଟାର ବିନେଦା ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଧନ୍ୟବାଦ ଦେଇଛନ୍ତି ।