୨୦୨୪ ନିର୍ବାଚନ ମୁଁ ଲଢିବି କହିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର
୨୦୨୪ ନିର୍ବାଚନ ମୁଁ ଲଢିବି କହିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର
ଭୁବନେଶ୍ବର: ଆସନ୍ତା ୨୦୨୪ ରେ ନିର୍ଣ୍ଣାୟକ ଲଢେଇ ହେବ । ମୁଁ ବି ନିର୍ବାଚନ ଲଢିବି କହିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜୟଙ୍କ ଏହି ବୟାନ ପରେ ରାଜ୍ୟ ରାଜନୀତି ସରଗରମ । ବିଜେପିର ଏହି ବରିଷ୍ଠ ରାଜନେତା ଯଦିଓ ଏବେ ସକ୍ରିୟ ରାଜନୀତିରୁ ଦୂରରେ ଅଛନ୍ତି । କିନ୍ତୁ ରାଜନୀତିରେ ଥିବା ସ୍ପଷ୍ଟ କରିଛନ୍ତି । ଦଳୀୟ କାର୍ୟ୍ୟକ୍ରମରେ ସାମିଲ ହେଉନଥିଲେ ସୁଦ୍ଧା ଏକ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଥିବା ସଂକେତ ଦେଇଛନ୍ତି । ୨୦୧୯ ରେ କେନ୍ଦ୍ରାପଡା ପାଟକୁରା ଆସନରୁ ଲଢି, ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ଠାରୁ ପରାସ୍ତ ହୋଇଥିଲେ ବିଜୟ । ସାବିତ୍ରୀ ଅଗ୍ରଓ୍ବାଲ ୯୬ ହଜାର ୧୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜୟ ମହାପାତ୍ର ପାଇଥିଲେ ୭୮ ହଜାର ୯୭ ଖଣ୍ଡ ଭୋଟ । ୧୭ ହଜାର ୯୨୦ ଖଣ୍ଡ ଭୋଟରେ ହାରିଥିଲେ ବିଜୟ ମହାପାତ୍ର । ଆଗକୁ ଆସୁଛି ୨୦୨୪ ନିର୍ବାଚନ । ଏଥିପାଇଁ ବିଜେଡି ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି ।ସେପଟେ କଂଗ୍ରେସ ମଧ୍ୟ ଦଳକୁ ସଂଗଠିତ ସୁଦୃଢ କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ମାଧ୍ୟମରେ ରାଜ୍ୟରୁ ରାଜ୍ୟ ବୁଲି କଂଗ୍ରେସକୁ ମଜବୁତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଓଡିଶା ଆସି ଉତ୍ସାହିତ କରୁଛନ୍ତି ଦିଗବିଜୟ ସିଂହ ଏବଂ ଜୟରାମ ରମେଶଙ୍କ ପରି ବରିଷ୍ଠ ନେତା । ବିଜେଡି ମଧ୍ୟ ଯାଜପୁରରେ ପ୍ରଶିକ୍ଷଣ ଶିବିର ଆରମ୍ଭ କରିଛି । ମୋଟିଭେସନାଲ ସ୍ପିକର ଜରିଆରେ କେମିତି ସେବା କରାଯିବ ସେନେଇ ନେତା ଓ କର୍ମୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଏଥି ସହିତ ନେତା ଓ ମନ୍ତ୍ରୀଙ୍କୁ ଜିଲ୍ଲାର ଦାୟିତ୍ବ ବଣ୍ଟନ କରିସାରିଛି ବିଜେଡି ।
ଆଉ ଏହାରି ଭିତରେ ବିଜେପିର ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ଏହି ବୟାନ ରାଜ୍ୟ ରାଜନୀତିର ପାରା ବଢାଇ ଦେଇଛି । ସାଧାରଣ ନିର୍ବାଚନକୁ ଆହୁରି ଦେଢ ବର୍ଷରୁ ଅଧିକ ସମୟ ରହିଛି । ନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ନିଜ ନିଜ କାର୍ୟ୍ୟକ୍ରମକୁ ତୀବ୍ର କରିଛନ୍ତି। ଏପରି ସ୍ଥିତିରେ ବିଜୟଙ୍କ ବୟାନ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ବହନ କରୁଛି ।




admin 