୨୦୧୨ରେ ମଣିଷ ଦେହକୁ ଡେଇଁଥିଲା କରୋନା
୨୦୧୨ରେ ମଣିଷ ଦେହକୁ ଡେଇଁଥିଲା କରୋନା
admin
Aug 18, 2020 - 10:31
Updated: Aug 18, 2020 - 10:31
ନୁ୍ୟୟର୍କ: କରୋନା ଭାଇରସ ଗତ ବର୍ଷ ଡିସେମ୍ବର ମାସରେ ଚୀନର ଓହାନରୁ ବ୍ୟାପିବା ଆରମ୍ଭ କରିଥିଲା ବୋଲି ସମସ୍ତେ ମନେ କରୁଛନ୍ତି । ଏହି ଭାଇରସ ଯୋଗୁଁ ଏବେ ସମଗ୍ର ବିଶ୍ୱରେ ୭,୬୦,୦୦୦ ଲୋକ ପ୍ରାଣ ହରାଇସାରିଲେଣି । ଏହି ଭାଇରସ ଯେପରି ମଣିଷ ଦେହରେ ବ୍ୟାପୁଛି, ସେଥିରୁ ମଣିଷ ଦେହ ସହିତ ସିଏ ବହୁତ ସହଜରେ ଖାପ ଖୁଆଇ ପାରୁଛି ବୋଲି ମନେ କରାଯାଉଛି । ଏହି କାରଣରୁ ବୈଜ୍ଞାନିକମାନେ ସନେ୍ଦହ କରିଥିଲେ ଯେ କରୋନା ଭାଇରସ ବହୁ ପୂର୍ବରୁ ମଣିଷ ଦେହକୁ ଆସିସାରିଛି । ଗତ ଡିସେମ୍ବରରେ ନୁହେଁ । ଏବେ ଏହି ଅନୁମାନ ସତ ହୋଇଥିବା ଜଣାପଡ଼ିଛି । ଏକ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ ପ୍ରଥମେ ୨୦୧୨ରେ ମଣିଷ ଦେହକୁ ଆସିଥିଲା । ଚୀନର ୟୁନାନ ପ୍ରଦେଶ ଅନ୍ତର୍ଗତ ମୋଇଜାଙ୍ଗ ଖଣି ଭିତରେ କିଛି ଶ୍ରମିକ ବାଦୁଡ଼ିର ମଳ ସଫା କରୁଥିଲେ । ସେମାନେ ପ୍ରାୟ ଦୁଇ ସପ୍ତାହ ଯାଏଁ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହା ପରେ ସେମାନଙ୍କ ଭିତରୁ ୬ ଜଣ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କ ଦେହରେ ନିମୋନିଆ ଜନିତ ଲକ୍ଷଣ ପ୍ରକାଶ ପାଇଥିଲା । ସେମାନଙ୍କୁ ଜ୍ୱର ହେବା ସହିତ ଶୁଖିଲା କାଶ ହେଉଥିଲା । ସେଇ ୬ ଜଣଙ୍କ ଭିତରୁ ୩ ଜଣ ପ୍ରାଣ ହରାଇଥିଲେ । ସେମାନଙ୍କ ଦେହର ନମୁନା ସେତେବେଳେ ଓହାନ ସ୍ଥିତ ଲାବକୁ ପଠାଯାଇଥିଲା । ଚୀନର ଜଣେ ଗବେଷକ ଏହା ଉପରେ ଏକ ଥେସିସ ଲେଖିଥିଲେ । ଏହି ଥେସିସକୁ ଆଧାର କରି ପାଶ୍ଚାତ୍ୟ ଦେଶର ଦୁଇ ଜଣ ଗବେଷକ ଦାବି କରିଛନ୍ତି ଯେ ଓହାନ ଲାବରୁ ହିଁ ଏହି ଭାଇରସ ଗତ ବର୍ଷ ଶେଷ ଭାଗରେ ଲିକ୍ ହୋଇଛି ବୋଲି ସେମାନେ ଏବେ ନିଶ୍ଚିତ ହୋଇପାରିଛନ୍ତି ।