ମାନସିକ ଚାପର ସଙ୍କେତ ଦେବ ଆଖି, ଜାଣନ୍ତୁ କିପରି
ମାନସିକ ଚାପର ସଙ୍କେତ ଦେବ ଆଖି, ଜାଣନ୍ତୁ କିପରି
admin
Mar 25, 2021 - 10:54
Updated: Mar 25, 2021 - 10:54
ଅତିରିକ୍ତ କାର୍ୟ୍ୟଭାର ମାନସିକ ଚାପର ପ୍ରମୁଖ କାରଣ ଭାବେ ଏବେ ଉଭା ହୋଇଛି । ଏହି ପରିସ୍ଥିତିରେ ଆପଣଙ୍କ ଆଖି ଏହି ସମସ୍ୟା ସମାଧାନ କରିପାରେ ବୋଲି ଗବେଷକମାନେ ଆବିଷ୍କାର କରିଛନ୍ତି ।
ଅଧ୍ୟୟନ ଅନୁସାରେ, ଏକ ସଙ୍ଗେ ଏକାଧିକ କାମ କରିବା ବେଳେ ଆଖି ପିତୁଳାର ପ୍ରସାରଣ ଦ୍ୱାରା ବ୍ୟକ୍ତିର ମାନସିକ ଚାପ ସ୍ତର ଚିହ୍ନଟ କରାଯାଇ ପାରେ । ଅଧିକାଂଶ ବ୍ୟକ୍ତି ଏକ ସଙ୍ଗେ ଅନେକ କାମ କରୁଛନ୍ତି, କିନ୍ତୁ ସେ ମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ତା’ର କେତେ ଯେଚାପ ପଡୁଛି, ସେ ନେଇ କେହି ସଚେତନ ନୁହନ୍ତି । ତେଣୁ ଏକାଧିକ କାମ ସମୟରେ ଆଖି ପିତୁଳାର ଆକାର ବ୍ୟକ୍ତିଙ୍କର ମାନସିକ ଅବସ୍ଥା ମାପିବାରେ ସହାୟକ ହୋଇପାରିବ ବୋଲି ଆମେରିକାର ମିସୌରୀ ୟୁନିଭର୍ସିଟିର ସହ ପ୍ରଫେସର ଜଙ୍ଗ୍ ହ୍ୟୁପ୍ କିମ୍ କହିଛନ୍ତି । ଭିନ୍ନ ଭିନ୍ନ ଭାବେ ପ୍ରତ୍ୟେକ ବ୍ୟକ୍ତି କିପରି ମାନସିକ ଚାପର ଶିକାର ହୋଇଥାନ୍ତି, ତାହା ଜାଣିବାକୁ ଗବେଷକମାନେ ଏକ କାଳ୍ପନିକ ତୈଳ ଓ ଗ୍ୟାସ୍ ରିଫାଇନରୀ ପ୍ଲାଣ୍ଟ କଣ୍ଟ୍ରୋଲ୍ ରୁମ୍ରେ ମୋସନ୍-କ୍ୟାପଚର୍ ଓ ଆଇ-ଟ୍ରାକିଙ୍ଗ ଟେକ୍ନୋଲୋଜି ମାଧ୍ୟମରେ ପ୍ରତିଯୋଗୀଙ୍କ ଉପରେ ନଜର ରଖିଲେ । ପ୍ରତିଯୋଗୀ ମାନେ ଆଲାର୍ମ ଭଳି ଅପ୍ରତ୍ୟାଶିତ ପରିବର୍ତ୍ତନ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିଥିଲେ ।
ଏହିଭଳି ସାଧାରଣ କାର୍ୟ୍ୟରେ ସେମାନଙ୍କ ଆଖି ଖୋଜିବାର ଗତିବିଧି ଅଧିକ ଆଶାନୁରୂପ ଥିଲା । ତେବେ କାର୍ୟ୍ୟ ଅଧିକ ଜଟିଳ ଓ ଅପ୍ରତ୍ୟାଶିତ ପରିବର୍ତ୍ତନ ହେବା ସହିତ ଆଖିର ଗତିବିଧି ଅଧିକ ଅସ୍ଥିର ହୋଇଥିବା ଜଣାପଡ଼ିଲା । ହ୍ୟୁମାନ୍-କମ୍ପ୍ୟୁଟର୍ ଇଣ୍ଟରାକସନ୍ ନାମକ ଅନ୍ତର୍ଜାତୀୟ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ଏକାଧିକ କାର୍ୟ୍ୟ ସମ୍ପାଦନର ବୋଝ ମୁଣ୍ଡାଉଥିବା ବ୍ୟକ୍ତିଙ୍କ ମାନସିକ ଚାପଦୂର ସହିତ ନିରାପଦ କାର୍ୟ୍ୟ ପରିବେଶ ସୃଷ୍ଟି କରିବାରେ ଏହି ପଦ୍ଧତି ବିଶେଷ ସହାୟକ ହୋଇପାରିବ ବୋଲି ଗବେଷକ ଦଳ କହିଛନ୍ତି । କାମ ବୋଝରେ କ୍ଲାନ୍ତ ହେବା ପୂର୍ବରୁ ଏହି ପଦ୍ଧତି ସେମାନଙ୍କ ସର୍ବାଧିକ ଚାପ ସ୍ତର ଚିହ୍ନଟ କରିବାରେ ସଫଳ ହେବ ବୋଲି ସେମାନେ ଆଶାବାଦୀ । ଭବିଷ୍ୟତରେ ବିଭିନ୍ନ ବୟସ ସହିତ ହୃଦ୍ସ୍ପନ୍ଦନ, ମସ୍ତିଷ୍କ ସଙ୍କେତ ଓ ମାଂସପେଶୀ କିମ୍ବା ସ୍ନାୟୁ ପ୍ରତିକ୍ରିୟାକୁ ସଂଶ୍ଳିଷ୍ଟ କରି ଏହି ତଥ୍ୟ କାର୍ୟ୍ୟକାରୀ କରିବାକୁ ଗବେଷକମାନେ ଯୋଜନା କରିଛନ୍ତି ।