୧୬ରେ ସବୁ ସ୍କୁଲରେ ପିଟିଏମ୍ ...
୧୬ରେ ସବୁ ସ୍କୁଲରେ ପିଟିଏମ୍ ...
admin
Jan 12, 2020 - 02:04
Updated: Jan 12, 2020 - 02:04
ଭୁବନେଶ୍ୱର - ଆସନ୍ତା ୧୬ ତାରିଖରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ (ପିଟିଏମ୍) ଅନୁଷ୍ଠିତ ହେବ । ଏଥିରେ ଷାଣ୍ମାସିକ ପରୀକ୍ଷା ଫଳ ପ୍ରକାଶ କରାଯିବା ସହ ଅଭିଭାବକଙ୍କୁ ଅବଗତ କରାଯିବ । ଦୁଇ ଘଣ୍ଟା ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛାତ୍ରଛାତ୍ରୀ ପାଠପଢ଼ାରେ କିଭଳି ଉନ୍ନତି କରିପାରିବେ ସେନେଇ ଆଲୋଚନା କରାଯିବ । ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ସୁବିଧା ଅନୁଯାୟୀ ସମୟ ଧାର୍ଯ୍ୟ କରିବେ ଏବଂ ତିନି ଦିନ ଆଗରୁ ଅଭିଭାବକଙ୍କୁ ଜଣାଇବା ସହ ବିଜ୍ଞପ୍ତି ପ୍ରକାଶ କରିବେ ।
ବୈଠକର ଏଜେଣ୍ଡା ସମ୍ପର୍କରେ ବିଜ୍ଞପ୍ତିରେ ଉଲ୍ଲେଖ ରହିବ । ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଗରିମା ଆୱାର୍ଡ, ଏଲ୍ଇପି(ଲର୍ଣ୍ଣିଂ ଏନ୍ହାନ୍ସମେଣ୍ଟ ପ୍ରୋଗ୍ରାମ), ଉଜ୍ୱଳ, ଉଥ୍ଥାନ କ୍ଲାସ, ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନର ଆବଶ୍ୟକତା ବାବଦରେ ବୈଠକରେ ଆଲୋଚନା ହେବ । ପିଲାଙ୍କ ପାଠପଢ଼ା ସମ୍ପର୍କରେ ଶିକ୍ଷକମାନେ ଅଭିଭାବକଙ୍କୁ ଜଣାଇବେ । ଯଦି କୌଣସି ଅଭିଭାବକ ଅନ୍ୟ ବିଷୟରେ ଜାଣିବାକୁ ଚାହୁଁଥିବେ ତେବେ ବୈଠକ ପରେ ସେନେଇ ଆଲୋଚନା କରାଯିବ । ବୈଠକ ପରେ ଅଭିଭାବକମାନେ ପିଲାଙ୍କ ସହ କ୍ଲାସରୁମରେ ବସିବେ । ଏଥିରେ ପ୍ରତି ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷାର ଉତ୍ତର ଖାତା ଅଭିଭାବକଙ୍କୁ ଦେଖାଯିବ । ପିଲାମାନେ ପରୀକ୍ଷାରେ କିଭଳି ଉତ୍ତର ଲେଖିଛନ୍ତି ସେବିଷୟରେ ଅବଗତ କରାଯିବ । ପିଲାର ପାଠପଢ଼ା ବୃଦ୍ଧି ଦିଗରେ କ'ଣ ପଦକ୍ଷେପ ନିଆଯିବ ସେନେଇ ଶ୍ରେଣୀ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଆଲୋଚନା ହେବ । ବୈଠକ ସମୟରେ ପାନୀୟ ଜଳ ବ୍ୟବସ୍ଥା କରାଯିବ । ଶ୍ରେଣୀ ଅନୁଯାୟୀ ଅଭିଭାବକଙ୍କ ଉପସ୍ଥାନ ନିଆଯିବ ଏବଂ ପରବର୍ତ୍ତୀ ସମୟରେ ବ୍ଳକ ଶିକ୍ଷା ଅଧିକାରୀଙ୍କ ନିକଟରେ ତାହା ଦାଖଲ କରାଯିବ । ଦୁଇ ଘଣ୍ଟା ଧରି ହେବାକୁ ଥିବା ବୈଠକରେ ୧୫ ମିନିଟ୍ ଲେଖାଏ ଶିକ୍ଷକମାନେ ଅଭିଭାବକଙ୍କୁ ଏଲ୍ଇପି ଓ ଗରିମା ଆୱାର୍ଡ ସମ୍ପର୍କରେ ଅବଗତ କରାଇବେ । ଏକ ଘଣ୍ଟା ଧରି ଛାତ୍ରଛାତ୍ରୀଙ୍କ ରିପୋର୍ଟ କାର୍ଡ ଅଭିଭାବକଙ୍କୁ ଦେଖାଯିବ । ୨୦୧୯ ଜୁନ୍ ୨୮ରେ ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା ।