ହେମଗିର ଗର୍ଜନପାହାଡ଼ରେ ପୁଣି ୨ ବିରଳ କଳା ବାଘ!

ହେମଗିର ଗର୍ଜନପାହାଡ଼ରେ ପୁଣି ୨ ବିରଳ କଳା ବାଘ!

ହେମଗିର ଗର୍ଜନପାହାଡ଼ରେ ପୁଣି ୨ ବିରଳ କଳା ବାଘ!
ସୁନ୍ଦରଗଡ଼: ଦେଢ଼ବର୍ଷ ପରେ ସୁନ୍ଦରଗଡ଼ ବନଖଣ୍ଡର ହେମ ଗିର ବନାଞ୍ଚଳସ୍ଥିତ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ପୁଣି ଦୁଇଟି ବିରଳ କଳାବାଘ ଦୃଷ୍ଟିଗୋଚର ହୋଇଛନ୍ତି । କିଛି ଦିନ ତଳେ ଜଙ୍ଗଲକୁ ଯାଇଥିବା କିଛି ଲୋକଙ୍କ ନଜରରେ ଏହା ପଡ଼ିଥିବା କୁହାଯାଉଛି । କିନ୍ତୁ ବନ ବିଭାଗ ଏ ସମ୍ପର୍କରେ ନିରବ ରହିଛି । ଏହା ପୂର୍ବରୁ ୨୦୧୮ ମଇ ମାସରେ ଏହି ଜଙ୍ଗଲରେ ଏକ କଳାବାଘ ନଜରକୁ ଆସିଥିଲା । ଓଡ଼ିଶା ରାଜ୍ୟ ଜଙ୍ଗଲରେ ପ୍ରଥମ କରି ଏକ ବିରଳ କଳାବାଘ ଦେଖାଯିବା ରାଜ୍ୟ ବନବିଭାଗକୁ ବେଶ ଉତ୍ସାହିତ କରିଥିଲା । ଗର୍ଜନପାହାଡ଼ ଉପରେ ବିଭାଗର ପୂରା ଦୃଷ୍ଟି ନିବିଦ୍ଧ କରି ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେତେବେଳେ ସୁନ୍ଦରଗଡ଼ ବନବିଭାଗ ପକ୍ଷରୁ ସିସିଟିଭି କ୍ୟାମେରା ଖଞ୍ଜି କଳାବାଘର ଗତିବିଧି ଉପରେ ନଜର ରଖାଯାଇଥିଲା । ବାଘଟି ବର୍ଷେ ଗର୍ଜନପାହାଡ଼ରେ ରହିଥିବା ଭିତରେ ୨୦୧୯ ରେ ଦୁଇଟି ଛୁଆ ଜନ୍ମ କରିଥିବା ଚର୍ଚ୍ଚା ହୋଇଥିଲା । ସେତେବେଳେ ବିଭାଗ ମଧ୍ୟ ଏଥିରେ ସତ୍ୟତା ଥାଇପାରେ ବୋଲି କହିଥିଲେ । କିନ୍ତୁ ଏହା ପରେ ପରେ ବାଘଟି ଜଙ୍ଗଲରୁ ଗାଏବ ହୋଇଯାଇଥିଲା । ଏବେ ଦେଢ଼ ବର୍ଷ ପରେ ପୁଣି ଦୁଇଟି କଳାବାଘ ଦୃଷ୍ଟିକୁ ଆସିଥିବା ବେଳେ ଏହା ୨୦୧୮ରେ ପରିଦୃଷ୍ଟି ବାଘର ଛୁଆ ହୋଇପାରନ୍ତି ବୋଲି କୁହାଯାଉଛି । ପ୍ରକାଶ ଥାଉ କି ଏ ଯାଏ ଭାରତର ୯ଟି ରାଜ୍ୟରେ କଳାବାଘ ଦେଖାଯାଇଛି । ଦକ୍ଷିଣ ଭାରତର ୯ ଟି ରାଜ୍ୟରେ କଳାବାଘ ଦେଖାଯାଇଛି । ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟରେ ପ୍ରଥମ କରି କଳାବାଘ ଦେଖାଯାଇଥିଲା । କର୍ଣ୍ଣାଟକରେ ୪ ଟି ବାଘ ଅଭୟାରଣ୍ୟ ଥିବା ବେଳେ ଏ ରାଜ୍ୟକୁ କଳାବାଘର ପ୍ରାକୃତିକ ଆବାସସ୍ଥଳୀ ବୋଲି କୁହାଯାଏ ।