ହାତୀ ସହ ସେଲ୍ଫି ପଡିଲା ମହଙ୍ଗା

ହାତୀ ସହ ସେଲ୍ଫି ପଡିଲା ମହଙ୍ଗା

ହାତୀ ସହ ସେଲ୍ଫି ପଡିଲା ମହଙ୍ଗା
ମୟୂରଭଞ୍ଜ - ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ ଅଧୀନ କୁଆମରା-ଦାମାସାହି-ଜୟପୁର ରାସ୍ତାରେ ଶୁକ୍ରବାର ହାତୀପଲ ଆତଙ୍କ ଖେଳାଇ ଦେଇଥିଲେ । ତେବେ ହାତୀ ଉତ୍ପାତ କରୁଥିବାବେଳେ ଏକ ଦନ୍ତା ସହ ସେଲ୍ଫି ନେବାକୁ ଉଦ୍ୟମ କରୁଥିବା ଜଣେ ଯୁବକ ତଳେ ପଡ଼ିଯିବା ଓ ଅଳ୍ପକେ ହାତୀ ପାଦ ତଳୁ ବର୍ତ୍ତିଯିବାର ଭିଡିଓ ଭାଇରାଲ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗଣମାଧ୍ୟମରେ ପ୍ରକାଶିତ ସୂଚନା ମୁତାବକ, ଶୁକ୍ରବାର ସକାଳେ ଜୟପୁର ଗ୍ରାମର ଜିତେନ ନାୟକଙ୍କ ଘର ପଛପଟେ ଥିବା ଏକ ବୁଦାଳିଆ ସ୍ଥାନରେ ଏକ ୬ଟିକିଆ ହାତୀ ପଲ ଥିବା ଗାଁଲୋକେ ଦେଖିବାକୁ ପାଇ ଉଦଳା ବନବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ଉଦଳା ରେଞ୍ଜର ଅଜୟ କୁମାର ଦାସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲକୁ ଜନବସତିରୁ ଘଉଡ଼ାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଏହି ଖବର ପ୍ରଚାରିତ ହେବାପରେ ହାତୀ ଦେଖିବା ପାଇଁ ଘଟଣାସ୍ଥଳ ଲୋକାରଣ୍ୟ ହୋଇ ଯାଇଥିଲା । ଇତିମଧ୍ୟରେ ଜଣେ ଯୁବକ ହାତୀ ସହିତ ସେଲ୍ଫି ନେବାକୁ ଉଦ୍ୟମ କରୁଥିବାବେଳେ ଗୋଟିଏ ଦନ୍ତା ତାଙ୍କୁ ଗୋଡ଼ାଇଥିଲା । ଯୁବକ ଜଣକ ପ୍ରାଣଭୟରେ ଦୌଡ଼ିଥିଲେ । ସେ ଝୁଣ୍ଟିପଡ଼ି ତଳେ ପଡ଼ିଯିବାରୁ ହାତୀଟି ଅଳ୍ପକେ ତାଙ୍କ କଡ଼ ଦେଇ ପଳାଇଥିଲା । ନିଶ୍ଚିତ ମୃତୁ୍ୟ ମୁଖରୁ ବର୍ତ୍ତି ଯାଇଥିବା ଯୁବକ ଜଣକ ଦୂରରେ ଥିବା ନିଜ ବାଇକ୍ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଉକ୍ତ ଯୁବକଙ୍କ ପରିଚୟ ମିଳିପାରନି । ସେପଟେ ହାତୀପଲ ଜନବସତି ମୁହଁ ହେବାପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଶେଷ ଖବର ସୁଦ୍ଧା ହାତୀପଲ ଜୟପୁର ଗ୍ରାମ ନିକଟସ୍ଥ ଏକ ଶାଳ ଜଙ୍ଗଲରେ ଅଛନ୍ତି ।