ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା : ସିବିଆଇ ତଦନ୍ତ ଦାବି କଲା ବିଜେପି
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା : ସିବିଆଇ ତଦନ୍ତ ଦାବି କଲା ବିଜେପି
ଭୁବନେଶ୍ଵର :ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ସହ ସାଇଣ୍ଟିଫିକ୍ ଟିମ୍ର ଯାଞ୍ଚ ଆରମ୍ଭ ହୋଇଛି। ଗୁଳିକାଣ୍ଡର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। କିପରି ଭାବେ ଏଏସଆଇ ଗୋପାଳ ଦାସ ଗୁଳି କଲା ସେନେଇ ଛାନ୍ଭିନ୍ କରାଯାଉଛି। ଘଟଣା ସ୍ଥଳରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବ୍ରୋଥା ମଧ୍ୟ ଉପସ୍ଥିତ ରହି ଛାନ୍ଭିନ୍ କରୁଛନ୍ତି। ସେପଟେ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କଲା ବିଜେପି। ମୁଖ୍ୟମନ୍ତ୍ରୀ ସିବିଆଇକୁ ତୁରନ୍ତ ତଦନ୍ତ ଭାର ଦେବାକୁ କହିଲେ ବିଜେପି ସଭାପତି ସମୀର ମହାନ୍ତି। ସେ କହିଛନ୍ତି ଯେ, ହତ୍ୟା ଅଭିଯୁକ୍ତ ହେଉଛି ପୋଲିସ, ପୁଣି ତଦନ୍ତ କରୁଛି ସେହି ପୋଲିସ। ପୂର୍ବରୁ କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିଛି ତାହାର ଫଳ ଶୂନ ରହିଛି। ତଦନ୍ତ ବିଳମ୍ଵ ହେଲେ ପ୍ରମାଣ ନଷ୍ଟ ହେବାର ରାସ୍ତା ପ୍ରସ୍ତୁତ ହୋଇଯିବ। ଘଟଣାକୁ ନେଇ ଏଯାଏଁ ଡିଜିପି, ଗୃହ ସଚିବ ଚୁପ୍ ବସିଛନ୍ତି। ସରକାରକୁ ପ୍ରକୃତରେ କିଏ ଚଳାଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସମୀର ମହାନ୍ତି ପୁଣି କହିଛନ୍ତି ଯେ, ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ଦିନ ଦ୍ଵିପ୍ରହରେ ଯେଭଳି ପୋଲିସ ଅଧିକାରୀ ଗୁଳି କରି ହତ୍ୟା କଲେ ଏହା କେବଳ ଓଡ଼ିଶାରେ ନୁହେଁ ଦେଶରେ ବି ବିରଳ। ଓଡ଼ିଶାବାସୀ ଆତଙ୍କିତ । ସରକାର ଏଠି ପଙ୍ଗୁ ହୋଇ ରହିଛି । ଦୀର୍ଘ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ରହିଛନ୍ତି । କ୍ୟାବିନେଟ ମନ୍ତ୍ରୀଙ୍କର ହତ୍ୟା ହେଉଛି ପୋଲିସ ଗୁଳି ମାରୁଛି । ତଦନ୍ତ ନେଇ କୌଣସି ମନ୍ତବ୍ୟ ରଖିଲେ ନାହିଁ, କି ପୋଲିସ ଡିଜି ଘଟଣାସ୍ଥଳକୁ ଗଲେନି । ଗୃହ ସଚିବ ବି ଚୁପ୍ । ଯେଉଁ ପୋଲିସ ଅଧିକାରୀ ହତ୍ୟା କଲେ ତାଙ୍କୁ ସରକାର ବାରମ୍ବାର ମେଡାଲ ଦେଇଛନ୍ତି । ସେ କାହିଁକି ହତ୍ୟା କଲେ ତାହା ବଡ଼ ପ୍ରଶ୍ନ ଉଠିଛି। ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ତାର ତଦନ୍ତ କରିବ । ଏଥିରେ କେମିତି ବିଶ୍ଵସନୀୟତା ରହିବ ? ତେଣୁ ଏହି ଘଟଣାରେ ସିବିଆଇକୁ ତୃତୀୟ ପକ୍ଷ ଭାବେ ନେଇ ତଦନ୍ତ ଭାର ଦିଅନ୍ତୁ ବୋଲି ସମୀର ମହାନ୍ତି କହିଛନ୍ତି।
ସେପଟେ ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ । ପୋଷ୍ଟମୋର୍ଟମ କରିଥିବା ଡାକ୍ତର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟରେ ରିପୋର୍ଟ ଦାଖଲ କରିଛନ୍ତି । ପୋଷ୍ଟମୋର୍ଟମ ରିପୋର୍ଟ ସମ୍ପର୍କରେ ନବ ଦାସଙ୍କୁ କେଉଁ ସମୟରେ ଗୁଳି ବାଜିଥିଲା , କେତୋଟି ଗୁଳି ବାଜିଥିଲା , ଏବଂ କେଉଁ ସମୟରେ ମୃତ୍ୟୁ ଘଟିଥିଲା । ଏସମସ୍ତ ତଥ୍ୟର ବିବରଣୀ ରହିଥିବା ସୂଚନା ।
ସୂଚନାଯୋଗ୍ୟ ଯେ, ରବିବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧି ଛକ ପୋଲିସ ଏଏସ୍ଆଇ ଗୋପାଳ ଦାସ ଗୁଳି ମାରିଥିଲେ । ଯେଉଁଥିରେ ନବ ଦାସ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ । ପରେ ନବ ଦାସଙ୍କୁ ଏୟାରଲିଫ୍ଟ ଜରିଆରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।




admin 