ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ; ୮୭ ଗିରଫ
ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ; ୮୭ ଗିରଫ
admin
Nov 11, 2019 - 11:21
Updated: Nov 11, 2019 - 11:21
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ବାବି୍ର ମସ୍ଜିଦ ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବା ପରେ ତାକୁ ନେଇ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ପ୍ରକାଶ କରିବା ଅଭିଯୋଗରେ ୮୭ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶରେ ୭୭ ଜଣ ରହିଥିଲା ବେଳେ ମଧ୍ୟପ୍ରଦେଶରେ ୧୦ ଜଣ ଅଛନ୍ତି । ସେହିଭଳି ସୋସିଆଲ ମିଡିଆରେ ପ୍ରକାଶିତ ୮,୨୭୫ ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେଥିରେ କେବଳ ରବିବାର ୪,୫୬୩ ପୋଷ୍ଟ ରହିଛି । ଶନିବାର ଉତ୍ତରପ୍ରଦେଶ ପୁଲିସ ବିବାଦୀୟ ପୋଷ୍ଟ ପ୍ରକାଶ ପାଇଁ ୩୭ ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ଆଉ ୪୦ ଜଣଙ୍କୁ ଗିରଫ କରିଛି । ଅଯୋଧ୍ୟାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଅନ୍ୟ ପକ୍ଷରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଇଦ-ଏ-ମିଲଦ-ଉନ-ନବି ପାଳନ ଅବସରରେ ହେବାକୁ ଥିବା ପାରମ୍ପାରିକ ଶୋଭାଯାତ୍ରାକୁ ପ୍ରଶାସନ ବାତିଲ କରିଦେଇଥିବା କିଛି ମୁସଲିମ ନେତା ଅଭିଯୋଗ କରିଥିଲେ ବେଳେ ପ୍ରଶାସନ ଏହାକୁ ଖଣ୍ଡନ କରିଛି । ଦୁଇ ଦିନ ଭିତରେ କେବଳ ଅଯୋଧ୍ୟା ନୁହେଁ, ଦେଶର ଅନ୍ୟ କୌଣସି ସହରରେ ହିଂସାକାଣ୍ଡ କିମ୍ବା ସେଭଳି ଅପ୍ରୀତିକର ଘଟଣା ଘଟିନଥିବା ଜଣାପଡ଼ିଛି । ଗତ ଦୁଇ ଦିନ ଭିତରେ ମଧ୍ୟପ୍ରଦେଶର ସିଓନିରେ ୮ ଜଣ ଏବଂ ଗ୍ୱାଲିୟରରେ ୨ ଜଣଙ୍କୁ ପୁଲିସ ଗିରଫ କରିଛି । ରାୟକୁ ନେଇ ଉତ୍ସବ ପାଳନ କରାଯିବା ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଥିଲା ବେଳେ ଛାଓନି ଅଞ୍ଚଳରେ ବାଣ ଫୁଟାଇ ଗ୍ୱାଲିୟର ଜେଲରେ ୱାର୍ଡେନ ମହେଶ ଅୱଧ ସସ୍ପେଣ୍ଡ ହୋଇଛନ୍ତି ।