ସହାୟତାର ହାତ ବଢ଼ାଇଲେ ନୀଳମାଧବ ପଣ୍ଡା

ସହାୟତାର ହାତ ବଢ଼ାଇଲେ ନୀଳମାଧବ ପଣ୍ଡା

ସହାୟତାର ହାତ ବଢ଼ାଇଲେ ନୀଳମାଧବ ପଣ୍ଡା
ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଦୈନିକ ମଜୁରୀ ଭିତ୍ତିରେ କାମ କରୁଥିବା ଲାଇଟ ବୟ, ସ୍ପଟବୟ, ମେକଅପ ମ୍ୟାନ, କଳା ଓ ପ୍ରଡକ୍ସନ ଆସିଷ୍ଟାଣ୍ଟ ଓ ଅନ୍ୟ କର୍ମୀମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବିଶିଷ୍ଟ ସିନେ ନିର୍ମାତା ନୀଳମାଧବ ପଣ୍ଡା । କରୋନା ମୁକାବିଲା ପାଇଁ ଲକଡାଉନ ଘୋଷଣା ହୋଇଥିବାରୁ ଚଳଚ୍ଚିତ୍ର ଓ ଧାରାବାହିକ ସୁଟିଂ କାମ ବନ୍ଦ ହୋଇଯାଇଛି । ଫଳରେ ଏ ଅସୁବିଧା ସମୟରେ ଦୈନିକ ମଜୁରୀ ନେଇ କାମ କରୁଥିବା ଏହି କର୍ମଚାରୀମାନେ ବହୁ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ତେଣୁ ଏ ସମୟରେ ଫିଲ୍ମ ୟୁନିଟର ପରିବାରର ଜଣେ ସଦସ୍ୟ ଭାବେ ସେ ସେମାନଙ୍କ ଉଦ୍ଦେଶ୍ୟରେ ରବିବାର ୨ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଓଡ଼ିଶା ମୋସନ ପିକଚରସ୍ ଟେକ୍ନିସିଆନ ଆଣ୍ଡ ୱାର୍କର୍ସ ଆସୋସିଏସନକୁ ସେ ଏହି ଟଙ୍କା ପ୍ରଦାନ କରିଥିବା ସଂଘର ସମ୍ପାଦକ ନିରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଶ୍ରୀ ପଣ୍ଡା ନିଜର ମତ ରଖି କହିଛନ୍ତି, ଆଜି ଆମେ ଯେତେ ବି ସଫଳ ହେଉଛୁ ବା ଭଲ ଫିଲ୍ମଟିଏ କରିପାରୁଛୁ ତା ପଛରେ ଏହି କର୍ମୀମାନଙ୍କର ବହୁତ ବଡ଼ ଭୂମିକା ଅଛି । ତେଣୁ ଏଭଳି ଦୁଃସ୍ଥିତିରେ ସେମାନଙ୍କ ନିକଟରେ ଛିଡ଼ା ହେବା ଆମ ମାନଙ୍କର କର୍ତ୍ତବ୍ୟ । ମୁଁ ଅନ୍ୟ ସ୍ୱଚ୍ଛଳ କଳାକାରମାନଙ୍କୁ ବି ନିବେଦନ କରିବି, ସେମାନଙ୍କ ମଧ୍ୟ ଏ ଦିଗରେ ସହାୟତା ପାଇଁ ଆଗେଇ ଆସନ୍ତୁ ।