ସରକାରୀ ହାଇସ୍କୁଲରେ ପଢିଲେ ଡାକ୍ତରୀ ଓ ଇଂଜିନିୟରିଂ ପିଲାଙ୍କ ପାଇଁ ସଂରକ୍ଷଣ
ସରକାରୀ ହାଇସ୍କୁଲରେ ପଢିଲେ ଡାକ୍ତରୀ ଓ ଇଂଜିନିୟରିଂ ପିଲାଙ୍କ ପାଇଁ ସଂରକ୍ଷଣ
admin
Dec 29, 2020 - 04:30
Updated: Dec 29, 2020 - 04:30
ଭୁବନେଶ୍ୱର : ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର । ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏବେ ସେମାନଙ୍କୁ ସ୍ୱତନ୍ତ୍ର ସଂରକ୍ଷଣ ମିଳିବ । ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତି ନିଆଯାଇଛି ।
ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟସ୍ତରରେ ନିଟ ଓ ଜେଇଇ ପରି ଏକକ ପରୀକ୍ଷା ପ୍ରବର୍ତିତ ହୋଇଛି । ତେବେ ସରକାରୀ ହାଇସ୍କୁଲ ଓ କଲେଜର ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉପରୋକ୍ତ ପାଠ୍ୟକ୍ରମରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । ଗ୍ରାମାଂଚଳର ପିଲାମାନେ ଉପଯୁକ୍ତ କୋଚିଂ ସୁବିଧା ପାଉନଥିବାରୁ ଏହିସବୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି ।
ଏହିସବୁ ଏକକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସ୍ୱତନ୍ତ୍ର ତାଲିମର ଆବଶ୍ୟକତା ରହିଛି । ସହରାଂଚଳରେ କୋଚିଂ ସେଂଟର ଖୋଲୁଥିବାରୁ ତାଲିମ ନେବା ନିମନ୍ତେ ଅଧିକ ଅର୍ଥର ଆବଶ୍ୟକତା ଅଛି । ଫଳରେ ଗ୍ରାମାଂଚଳ ଓ ସରକାରୀ ସ୍କୁଲ ପିଲାମାନେ ଏହି ସୁଯୋଗରୁ ବଂଚିତ ହେଉଛନ୍ତି । ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ଓଡ଼ିଶାର ଡାକ୍ତରୀ ଓ ଇଂଜିନିୟରିଂ କଲେଜମାନଙ୍କରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ନିଷ୍ପତି ନେଇଛନ୍ତି । ଆଗାମୀ ଶିକ୍ଷାବର୍ଷ ଠାରୁ ଏହା ଲାଗୁ କରାଯିବ ।
କ୍ୟାବିନେଟର ନିଷ୍ପତି କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯିବ । ଏଥିରେ ଖ୍ୟାତିସମ୍ପନ୍ନ ଶିକ୍ଷାବିତ ସଦସ୍ୟ ରହିବେ । ଆଗାମୀ ୩ ମାସ ମଧ୍ୟରେ କମିଟି ତାଙ୍କର ରିପୋର୍ଟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ କମିଟିର ସୁପାରିଶକୁ ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯାଇପାରିବ ବୋଲି କ୍ୟାବିନେଟରେ ନିଷ୍ପତି ନିଆଯାଇଛି ।