ସଡକ ଦୁର୍ଘଟଣା, ୮ ମୃତ
ସଡକ ଦୁର୍ଘଟଣା, ୮ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଡବଲ ଡେକର ବସ ମୁହାଁମୁହିଁ ଧକ୍କା ହେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଦୁଇଟି ଡବଲ ଡେକର ବସ୍ ପରସ୍ପରକୁ ଧକ୍କା ଦେଇଥିବାରୁ ଚାଲି ଯାଇଛି ୮ ଜଣଙ୍କ ଜୀବନ। ଏହି ଦୁର୍ଘଟଣାରେ ଆଉ ୨୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ଲକ୍ଷ୍ନୌ ପଠାଯାଇଛି।
ପୁଲିସ୍ କହିଛି ଯେ ବାରବାଙ୍କି ଜିଲ୍ଲା ନରେନ୍ଦ୍ରପୁର ମାର୍ଦ୍ଧା ଗାଁ ନିକଟ ଦେଇ ଯାଇଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଉପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁଇଟି ଯାକ ବସ୍ ଲୋକଙ୍କୁ ଧରି ବିହାରରୁ ଦିଲ୍ଲୀ ଯାଉଥିଲେ। ତେବେ ଅଧା ରାସ୍ତାରେ ଏତେ ବଡ଼ ଅଘଟଣ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୮ ଜଣଙ୍କ ଜୀବନ ଚାଲି ଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ଦୁର୍ଘଟଣା ଯୋଗୁ ଦୁଇଟି ଯାକ ବସ ପୂରା ଛିନଛତ୍ର ହୋଇ ଯାଇଛି। ସେହିପରି ଗୋଟିଏ ବସ୍ ରାସ୍ତା ଉପରେ ଥିବା ବେଳେ ଆଉ ଗୋଟିଏ ବସ୍ ଡିଭାଇଡର ଉପରେ ଚଢ଼ି ଯାଇଛି। ରାସ୍ତାରେ ଦୁଇଟି ଯାକ ବସ୍ ଯାଉଥିଲା। ତେବେ ଆଗରେ ଯାଉଥିବା ବସ୍ଟି ହଠାତ୍ ଅଟକି ଯାଇଥିଲା। ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଆଉ ଗୋଟିଏ ବସ୍ ଏହାକୁ ଧକ୍କା ଦେଇଥିଲା। ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।