ସଂସଦରେ କରୋନା, ୪୦୦ କର୍ମଚାରୀ ସଂକ୍ରମିତ

ସଂସଦରେ କରୋନା, ୪୦୦ କର୍ମଚାରୀ ସଂକ୍ରମିତ

ସଂସଦରେ କରୋନା, ୪୦୦ କର୍ମଚାରୀ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଏବେ ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି। ସଂସଦରେ ମଧ୍ୟ ପହଞ୍ଚିଛି। ସଂସଦର ୪୦୦ରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। ୬ ଓ ୭ ତାରିଖରେ ସଂସଦ ଭବନରେ କାମ କରୁଥିବା କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ କରୋନା ପରୀକ୍ଷା ହୋଇଥିଲା। ଏଥିରୁ ୪୬୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନରେ ରଖାଯାଇଛି।ଇୟଗ୍ଦ ଭଚ୍ଚ

ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ମହାମାରୀ କରୋନା। ରାଜଧାନୀ ଦିଲ୍ଲୀରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଛି। ଶନିବାର ଏଠାରେ ୨୦,୧୮୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ କରୋନାରେ ଆକ୍ରାନ୍ତ ହୋଇ ୭ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏଠାରେ ସଂକ୍ରମଣ ହାର ୧୯.୬୦%କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ବର୍ତ୍ତମାନ କରୋନା ସକ୍ରିୟ ମାମଲା ୪୮୧୭୮ରେ ପହଞ୍ଚିଛି।

ସେପଟେ ମହାରାଷ୍ଟ୍ରରେ ପୁଣି ଥରେ ଆକ୍ରାନ୍ତଙ୍କ ତୁଳନାରେ ଅନ୍ୟ ରାଜ୍ୟଠାରୁ ସର୍ବାଧିକ ରହିଛି। ଗତ ୨୪ ଘଣ୍ଟାରେ ଏଠାରେ ୪୧,୪୩୪ ନୂଆ ମାମଲା ସାମ୍ନାକୁ ଆସିଛି। ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସେଠାକାର ଉଦ୍ଧବ ସରକାର କଟକଣା କଡାକଡି କରିଛନ୍ତି।

ସେହିପରି ଦେଶରେ ଦୈନିକ ସଂକ୍ରମଣ ମଧ୍ୟ ଦେଢ଼ ଲକ୍ଷ ମୁହାଁ ହୋଇଛି। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ, ସପ୍ତାହନ୍ତ ଲକଡାଉନ୍ ଓ ଅନେକ କଟକଣା ଲାଗୁ ହୋଇଛି।