ଶ୍ବଶୂଘର ଆଗରେ ମାଣ ବସାଇଲେ ବୋହୂ
ଶ୍ବଶୂଘର ଆଗରେ ମାଣ ବସାଇଲେ ବୋହୂ
ବ୍ରହ୍ମପୁର: ଶ୍ବଶୁର ଘର ସମ୍ମୁଖରେ ମାର୍ଗଶୀରମାସ ଗୁରୁବାର ଓଷା କଲେ ବୋହୂ। ୪ ଦିନ ହେଲା ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ୱୀନି ଦାସ ଆଜି ଶ୍ବଶୁର ଘର ଗେଟ୍ ଆଗରେ ପାଳନ କରିଛନ୍ତି ଏହି ଦାୟିତ୍ବ। ଶ୍ୱଶୁର ଘର ଗେଟ୍ ବୋହୂ ପାଇଁ ଖୋଲୁ ନ ଥିବା ବେଳେ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି ଡିମ୍ପଲ । ବ୍ରହ୍ମପୁର ସହରର ବ୍ରହ୍ମାନଗରର ପ୍ରମୋଦ ସାହୁଙ୍କ ଘର ଆଗରେ ବୋହୂ ଡିମ୍ପଲ ଦାସ ଗତ ଚାରି ଦିନ ହେଲା ଧାରଣାରେ ବସିଥିଲେ । ଆଜି ସକାଳୁ ଡିମ୍ପଲ ପ୍ରମୋଦଙ୍କ ଘର ଆଗରେ ପୂଜା କରିବା ସହ ମାଣ ବସାଇଥିଲେ ।
ସକାଳୁ ସକାଳୁ ଲିପା ପୋଛା କରି ମା’ଙ୍କ ଫଟୋ ସମ୍ମୁଖରେ ଭୋଗ, ଦୀପ, ଧୂପ ସଜାଡ଼ି ରଖିଲେ। ବିଧି ମୁତାବକ ହୁଳୁହୁଳି ଶବ୍ଦରେ କମ୍ପିଲା ପରିବେଶ। ଏହାପରେ ମା’ଙ୍କ ଫଟୋ ସମ୍ମୁଖରେ ବସି ବହି ମଧ୍ୟ ପଢ଼ିଲେ। ଏହାସତ୍ତ୍ୱେ ଶ୍ୱଶୁର ଘର ଲୋକ ବାହାରକୁ ଆସି ନ ଥିଲେ।
ଏନେଇ ଡିମ୍ପଲ କହିଛନ୍ତି, ଶାଶୂ ଓଡ଼ିଆ ପରଂପରା ଓ ରୀତିନୀତି ଭୁଲି ଯାଇଥିଲେ ମଧ୍ୟ ସେ ଏହାକୁ ପାଳନ କରିଛନ୍ତି। ମୋତେ ଖରାପ ଲାଗୁଛି। ମୁଁ ଘରର ଗୋଟିଏ ବୋଲି ବୋହୂ । ଏହା ମୋ ଧର୍ମ। ମୁଁ ମୋ କର୍ମ କରିଛି। ମା’ ମୋତେ କ୍ଷମା କରନ୍ତୁ। ଶାଶୂ ଘର ଲୋକଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ଏହା ଲଜ୍ଜାଜନକ ଘଟଣା। କିନ୍ତୁ ମୋତେ କରିବାକୁ ପଡ଼ିଛି।
ସୂଚନାଯୋଗ୍ୟ, ପ୍ରମୋଦଙ୍କ ସାନ ପୁଅ ଡାକ୍ତର ସୁମିତ ସାହୁଙ୍କୁ ଡିମ୍ପଲ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ । ଶ୍ୱଶୁର ଘର ଲୋକେ ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେବା ପରେ ଠକି ଚାଲିଥିବା ଡିମ୍ପଲ ଅଭିଯୋଗ କରିଛନ୍ତି । ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଛନ୍ତି।
ଏହାମଧ୍ୟରେ ତପସ୍ୱୀନିଙ୍କ ସ୍ୱାମୀ ଡାକ୍ତର ସୁମିତ କୁମାର ସାହୁ ଗତକାଲି ସେମାନଙ୍କ କୋର୍ଟ ମ୍ୟାରେଜ ହୋଇଥିବା ସ୍ବୀକାର କରିଥିଲେ। ହେଲେ ତପସ୍ୱୀନିଙ୍କ ନାଁରେ ପାଲଟା ନିର୍ୟାତନା ଅଭିଯୋଗ ଆଣି କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିବା କହିଛନ୍ତି ସୁମିତ। କେବଳ ସୁମିତ ନୁହଁନ୍ତି, ଗତକାଲି ତାଙ୍କ ବାପା ପ୍ରମୋଦ କୁମାର ସାହୁ ମଧ୍ୟ ତପସ୍ୱୀନିଙ୍କୁ ନିଜ ବୋହୂ ବୋଲି ସ୍ୱୀକାର କରିଛନ୍ତି । ହେଲେ କୋର୍ଟରେ ମାମଲା ଥିବାରୁ ଘର ଆଗରେ ଅଶାନ୍ତି ନ କରିବାକୁ ସେ ଅନୁରୋଧ କରିଛନ୍ତି।




admin 