ବାବୁଙ୍କୁ ସରକାରୀ ଛାଟ

ବାବୁଙ୍କୁ ସରକାରୀ ଛାଟ

ବାବୁଙ୍କୁ ସରକାରୀ ଛାଟ
ଭୁବନେଶ୍ୱର : ପଞ୍ଚମ ପାଳି ଶପଥ ଗ୍ରହଣ ଦିନ ଟିମ୍ ୱାର୍କ-ଦଳଗତ କାର୍ଯ୍ୟ, ଟ୍ରାନ୍ସପରେନ୍ସିଂ ସ୍ୱଚ୍ଛତା ଓ ଟେକ୍ନୋଲୋଜି-ବୈଷୟିକ ଜ୍ଞାନ ସହିତ ଆଉ ୨ଟି ‘ଟି’ ଯୋଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବର୍ତ୍ତନ (ଟ୍ରାନ୍ସଫର୍ମେସନ) ପାଇଁ ପଞ୍ଚମ ପରିମାପକ ଭାବେ ସମୟ (ଟାଇମ)କୁ ଯୋଡ଼ାଯାଇଥିଲା । ଏକ ଗତିଶୀଳ ପ୍ରଶାସନିକ ମଡେଲକୁ ଗୁରୁତ୍ୱ ଦେବାକୁ ଯାଇ ନବୀନଙ୍କ ଏଭଳି ମନ୍ତ୍ର ପଛର ଅସଲ ଆଭିମୁଖ୍ୟ ଏବେ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ଟାର୍ଗେଟ ଦେଇ ନବୀନ ଏଥର ଚୁପ୍ ବସିବାକୁ ଚାହୁଁନାହାନ୍ତି । ନିକଟରେ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ‘୫’ଟି ତଦାରଖ ଦାୟିତ୍ୱ ଦେଇଥିଲେ, ଏବେ ଦକ୍ଷତା ମାପିବା ଲାଗି ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତରେ କହିଛନ୍ତି ଯେ ବାବୁ ଓ ସରକାରୀ କର୍ମଚାରୀଙ୍କ ସିସିଆରରେ ବି ଏଣିକି ୫ଟି ସାମିଲ ହେବ । ମୋଟ ୧୦ ନମ୍ବରରୁ ୮ ନମ୍ବର ପୂର୍ବରୁ ନିର୍ଦ୍ଧାରିତ ମାପକାଠି ଅନୁସାରେ ଦିଆଯିବ । ବାକି ୨ ନମ୍ବର ରହିବ ‘୫ଟି’ ପାଇଁ । ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଫର୍ମୂଲା କାର୍ଯ୍ୟାନ୍ୱୟନ ଯେତେ ଭଲ କରିବେ, ସେମାନଙ୍କୁ ୨ ମାର୍କରୁ ସେତିକି ମିଳିବ । ପୂର୍ବରୁ ଷଷ୍ଠ ବେତନ କମିସନ ଉତ୍ତମ ଦକ୍ଷତା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ କଥା କହିଥିଲେ । ହେଲେ ଏହା ସେ ସମୟରେ କାର୍ଯ୍ୟକାରି ହୋଇପାରିନଥିଲା ।