ଶୀତରେ ଥରିବ ଓଡ଼ିଶା, ଆହୁରି ଖସିବ ତାପମାତ୍ରା
ଶୀତରେ ଥରିବ ଓଡ଼ିଶା, ଆହୁରି ଖସିବ ତାପମାତ୍ରା
ଭୁବନେଶ୍ୱର: ଆସନ୍ତା ୨ରୁ ୩ ଦିନ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ। ବର୍ତ୍ତମାନ ଫୁଲବାଣୀ, କୋରାପୁଟ, ସୁନ୍ଦରଗଡ, କେନ୍ଦୁଝର ଏବଂ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୯.୫ଡିଗ୍ରୀ ରେକର୍ଡ କରାଯାଇଛି । ଉପରୋକ୍ତ ଅଂଚଳରେ ଶୀତ ପ୍ରକୋପ ଜାରି ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ତିନିଦିନ ପର୍ୟ୍ୟନ୍ତ ପଶ୍ଚିମ ଓଡିଶାର ପ୍ରାୟ ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟାରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସୋନପୁର, ବଲାଙ୍ଗୀର ଏବଂ ବରଗଡ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇପାରେ । ତେଣୁ କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ଦୁଇଦିନ ଯାଏ ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ପର୍ୟ୍ୟନ୍ତ ହ୍ରାସ ପାଇବ ।
ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ, କେନ୍ଦୁଝରରେ ୧୦.୨ଡିଗ୍ରୀ, ସୁନ୍ଦରଗଡରେ ୧୦.୫ଡିଗ୍ରୀ, କୋରାପୁଟ ଓ ଫୁଲବାଣୀ୧୦.୫ଡିଗ୍ରୀ ଲେଖାଏଁ, ଭୁବନେଶ୍ୱରରେ ୧୬.୪ ଡିଗ୍ରୀଓ କଟକରେ ୧୬.୨ଡିଗ୍ରୀ ରହିଛି ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୯ ତାରିଖରୁ ଫେବୃଆରୀ ୪ମଧ୍ୟରେ ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ବଢିବ । ଭୁବନେଶ୍ୱରରେ ଫେବୃଆରୀ ୩ରେ ଦିନ ତାପମାତ୍ରା ୩୧ଡିଗ୍ରୀ ଛୁଇଁପାରେ । ଉପକୂଳ ଓଡିଶାରେ ୩୦ରୁ କୁହୁଡି ଦୃଶ୍ୟମାନ ହେବ । ଫେବୃଆରୀ ପହିଲାରୁ ୫ତାରିଖ ପର୍ୟ୍ୟନ୍ତ ଅତି ଘନକୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି ।
୨୯ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସୋନପୁର, ବଲାଙ୍ଗୀର ଏବଂ ବରଗଡ ଜିଲ୍ଲାରେ ଶୀତ ଲହରୀ ପ୍ରବାହିତ ହେବ । ସେହିପରି ୩୦ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ଦେବଗଡ, ଅନୁଗୁଳ, କଳାହାଣ୍ଡି ଏବଂ ବରଗଡ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଥଣ୍ଡା ଅନୁଭୂତ ହେବ ।




admin 