ଶସ୍ତା ହେବ ଖାଇବା ତେଲ, କମାଇଲେ ଆମଦାନୀ ଶୁଳ୍କ
ଶସ୍ତା ହେବ ଖାଇବା ତେଲ, କମାଇଲେ ଆମଦାନୀ ଶୁଳ୍କ
ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଥିଲେ କେନ୍ଦ୍ର ସରକାର। ଏବେ ଖାଇବା ତେଲ ଦରକୁ କମାଇବାକୁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଭାରତୀୟ ବଜାରରେ ଶସ୍ତା ହେବ ସୋୟାବିନ୍ ଓ ସୂର୍ୟ୍ୟମୁଖି ତେଲ।
ବାର୍ଷିକ ୨୦ ଲକ୍ଷ ମେଟ୍ରିକ ଟନ ଲେଖାଏ ଅଶୋଧିତ ସୋୟାବିନ ଓ ସୂର୍ୟ୍ୟମୁଖି ତେଲ ଉପରୁ ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ୨୦୨୪ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ଏହି ନିୟମ ଲାଗୁ ରହିବ। ଖାଇବା ତେଲର ଅହେତୁକ ଦାମ୍ ବୃଦ୍ଧିକୁ ଦେଖି କେନ୍ଦ୍ର ଟିକସ ଛାଡ଼ ପାଇଁ ନିଷ୍ପତ୍ତି ନେଇଛି।
ୟୁକ୍ରେନ ଏବଂ ରୁଷିଆରୁ ଭାରତ ନିଜ ଆବଶ୍ୟକତାର ପ୍ରାୟ ୯୦% ତେଲ ଆମଦାନୀ କରିଥାଏ। ରୁଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ଗତ ଦୁଇମାସ ଧରି ଭାରତୀୟ କମ୍ପାନୀ ସୂର୍ୟ୍ୟମୁଖୀ ତେଲ ଆମଦାନୀ କରିବା ପାଇଁ ନୂତନ ଦେଶ ଏବଂ ବଜାର ଖୋଜୁଥିଲେ। ଯୁଦ୍ଧ ଯୋଗୁ ଖାଇବା ତେଲ ଆମଦାନୀ ପ୍ରଭାବିତ ହୋଇଥିବାରୁ ଦର ବଢ଼ି ଲୋକଙ୍କୁ ଅତିଷ୍ଠ କରିଛି। ହେଲେ ଏବେ ସେଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ଆଶା ସଞ୍ଚାର ହୋଇଛି।
୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ବାର୍ଷିକ ୨୦ ନିୟୁତ ଟନ୍ ଲେଖାଏ ଅଶୋଧିତ ସୋୟାବିନ୍ ଏବଂ ସୂର୍ୟ୍ୟମୁଖୀ ତେଲ ଆମଦାନୀ ଉପରେ କଷ୍ଟମ ଡ୍ୟୁଟି ଏବଂ କୃଷି ଭିତ୍ତିଭୂମି ସେସ୍ ହଟାଇବାକୁ ସରକାର ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ବାର୍ଷିକ ୨୦ ଲକ୍ଷ ଟନ୍ ଲେଖାଏ ଅଶୋଧିତ ସୋୟାବିନ୍ ଏବଂ ସୂର୍ୟ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ଲାଗୁ ହେବ ନାହିଁ। ଅର୍ଥ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଆଜିଠୁ କାର୍ୟ୍ୟକାରୀ ହେବ।
ଆମଦାନୀ ଶୁଳ୍କରେ ଏହି ଛାଡ଼ ଦ୍ୱାରା ଘରୋଇ ବଜାରରେ ମୂଲ୍ୟ ହ୍ରାସ ପାଇବ ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ସହାୟକ ହେବ। କେନ୍ଦ୍ରୀୟ ବୋର୍ଡ ଅଫ୍ ପରୋକ୍ଷ ଟ୍ୟାକ୍ସ ଆଣ୍ଡ କଷ୍ଟମ୍ସ (ସିବିଆଇସି) ଏକ ଟୁଇଟ୍ରେ ଲେଖିଛି ଯେ ଏହି ନିଷ୍ପତ୍ତି ଗ୍ରାହକଙ୍କୁ ବେଶ୍ ଆଶ୍ୱସ୍ତି ପ୍ରଦାନ କରିବ।




admin 