ଶରଦ ପାୱାର କହିଲେ, ବିଜେପିକୁ ସମର୍ଥନ ଦେଇନି ଏନସିପି
ଶରଦ ପାୱାର କହିଲେ, ବିଜେପିକୁ ସମର୍ଥନ ଦେଇନି ଏନସିପି
admin
Nov 23, 2019 - 05:45
Updated: Nov 23, 2019 - 05:45
ମୁମ୍ବାଇ : ମହାରାଷ୍ଟ୍ର ମହାନାଟକର ଅନ୍ତ ଘଟିଲା କି ? ଏହାକୁ ନେଇ ଏବେ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଯାଇଛି । ନିର୍ବାଚନ ପରଠାରୁ କ୍ଷମତା ପାଇଁ ନାଟକ ଚାଲିଥିବାବେଳେ ଅଜିତ ପାୱାରଙ୍କ ନିଷ୍ପତି କଂଗ୍ରେସ, ଏନସିପି ଓ ଶିବସେନା ଅଳିନ୍ଦରେ ଚହଳ ସୃଷ୍ଟିକରିଛି । ଅଜିତ ପାୱାର ଫଡ଼ନାଭିସ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଶରଦ କହିଛନ୍ତିଯେ, ବିଜେପିକୁ ଏନସିପି ସମର୍ଥନ ଦେଇନାହିଁ । ଅଜିତ ପାୱାର ଯେଉଁ ନିଷ୍ପତି ନେଇଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତି । ତାହାକୁ ଏନସିପିର ନିଷ୍ପତି ବୋଲି କୁହାଯିବ ନାହିଁ ।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିଣି ବଡ଼ ଦଳ ଭାବେ ଉଭା ହୋଇଥିଲା । ଯେତେବେଳେକି ସହଯୋଗୀ ଶିବସେନାକୁ ୫୬ ଆସନ ମିଳିଥିଲା । କିନ୍ତୁ ନିର୍ବାଚନରେ ଶିବସେନା ନିଜର ଆଭିମୁଖ୍ୟ ବଦଳାଇ ଦେଇଥିଲା । ଫଳରେ ବିଜେପି ଓ ଶିବସେନା ମିଳିତ ସରକାର ଗଠନ ହୋଇପାରିନଥିଲା । ଅପରପକ୍ଷରେ ଶିବସେନା ସରକାର ଗଢ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲା । ଏନସିପି ସହଯୋଗରେ କଂଗ୍ରେସକୁ ମନାଇବା ପାଇଁ ଢେ଼ର କସରତ ହୋଇଥିଲା । ପ୍ରାରମ୍ଭରେ ଶିବସେନା ସହ ମେଂଟ କରିବାକୁ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଅନାଗ୍ରହୀ ଥିଲେବି ଶରଦ ତାଙ୍କୁ ରାଜି କରାଇବାରେ ସମର୍ଥ ହୋଇଥିଲେ । ଫଳରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହେବେବୋଲି ନିଷ୍ପତି ସରିଥିଲା । କିନ୍ତୁ ହଠାତ ଅଜିତ ପାୱାର ବିଜେପିକୁ ସମର୍ଥନ କରିବାକୁ ଘୋଷଣା କରିବା ସହ ଶରଦଙ୍କ ଅଜାଣତରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ମଧ୍ୟ ନେଇଯାଇଥିଲେ । ଏନେଇ ଶିବସେନା ଓ ଏନସିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି । ଉଦ୍ଧବ ଠାକରେ ଓ ଶରଦ ପାୱାର ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି କଂଗ୍ରେସ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରିବ ବୋଲି ଜାଣିବାକୁ ମିଳିଛି ।