ଶଙ୍ଖ ଧରିବେ ପ୍ରଦୀପ ମାଝୀ!

ଶଙ୍ଖ ଧରିବେ ପ୍ରଦୀପ ମାଝୀ!

ଶଙ୍ଖ ଧରିବେ ପ୍ରଦୀପ ମାଝୀ!


କଂଗ୍ରେସ ଭଳି ଗୁରୁତ୍ୱ ପାଇବେ କି?

ଭୁବନେଶ୍ୱର: କଂଗ୍ରେସକୁ ବାଏ ବାଏ କରି ନବୀନଙ୍କ ଶଙ୍ଖ ଧରିପାରନ୍ତି ପ୍ରଦୀପ ମାଝୀ । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ଖୁବଶୀଘ୍ର ବିଜେଡିରେ ଯୋଗ ଦେବା ସମ୍ଭାବନା ରହିଛି । ଢେର ଦିନ ଏହାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଖୋଦ୍ ପ୍ରଦୀପଙ୍କ ବୟାନ ଏହି ଚର୍ଚ୍ଚାକୁ ଅଧିକ ବଳ ଦେଇଛି । ଗତକାଲି ଏକ ଟିଭି ଚ୍ୟାନେଲରେ ପ୍ରଦୀପ ମାଝୀଙ୍କ ସାକ୍ଷାତକାର ପ୍ରସାରିତ ହୋଇଥିଲା । ଯାହାକୁ ଆଧାର କରି ଏହି ଚର୍ଚ୍ଚା ଅଧିକ ଜୋର ଧରିଛି ।

  ଏକଦା ପିସିସି କାର୍ଯ୍ୟକାରୀ ସଭାପତି ପଦବୀ ଛାଡ଼ି ନବ ଦାସ ବିଜେଡିରେ ଯୋଗ ଦେବା ପରେ ମନ୍ତ୍ରୀ ହୋଇଛନ୍ତି । ନବଙ୍କ ଏହି ପଦକ୍ଷେପକୁ ବି ପ୍ରଦୀପ ଉକ୍ତ ସାକ୍ଷାତକାରରେ ସମର୍ଥନ କରିଥିବା ଭିଡିଓ ଏବେ ଭାଇରାଲ ହୋଇଛି । ଏହି ସାକ୍ଷାତକାରରେ ପ୍ରଦୀପ ବିଜେଡିର ପ୍ରଶଂସା କରିଛନ୍ତି । କହିଛନ୍ତି, ବିଜେଡି ଓ କଂଗ୍ରେସ ଭିତରେ ଆଦର୍ଶଗତ ଫରକ ବିଶେଷ ନାହିଁ । ଯଦିଓ ସେ କଂଗ୍ରେସରେ ଅଛନ୍ତି, ହେଲେ ଯଦି କ୍ଷମତାରେ ରହି ଲୋକଙ୍କ ସେବା କରିବାର ସୁଯୋଗ ମିଳେ, ତେବେ ସେ ନିଶ୍ଚିତ ବିଚାର କରିବେ । ବିଜେଡିରେ ଶୃଙ୍ଖଳା ଓ ସ୍ଥିରତା ଥିବା କଥା ବି କହିଛନ୍ତି । ପ୍ରଦୀପଙ୍କ ଏଭଳି ବୟାନ ସେ ବିଜେଡି ମୁହାଁ ହେଉଥିବା ସ୍ପଷ୍ଟ କରୁଛି । 

  କଂଗ୍ରେସର ନେତାମାନଙ୍କ କହିବା କଥା ହେଲା, ଅତୀତରେ ଭୂପିନ୍ଦର ସିଂହ ଓ ଗିରିଧର ଗମାଙ୍ଗଙ୍କ ଭଳି ବରିଷ୍ଠ ପ୍ରଭାବଶାଳୀ ନେତା ଦଳ ଛାଡ଼ି ବିଜେଡି କିମ୍ବା ବିଜେପିକୁ ଯାଇଛନ୍ତି । ହେଲେ ଏବେ ତାଙ୍କର କେତେ ଗୁରୁତ୍ୱ ରହିଛି? ରାଜ୍ୟ କଂଗ୍ରେସରେ ପ୍ରଦୀପଙ୍କର ବେଶ୍ ଗୁରୁତ୍ୱ ରହିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପରେ ସେ ଅନ୍ୟତମ ଆଗଧାଡ଼ିଆ ନେତା ଭାବେ ଗଣା ଯାଉଛନ୍ତି । ଏଆଇସିସି ମଧ୍ୟ ତାଙ୍କୁ ଯଥେଷ୍ଟ ଗୁରୁତ୍ୱ ଦେଇ ଆସିଛି । ରାହୁଲ ଗାନ୍ଧିଙ୍କ ନିକଟତମ ନେତା ଭାବେ ସେ ପରିଚିତ । ସେ କଂଗ୍ରେସ ଛାଡ଼ି ବିଜେଡିକୁ ଗଲେ ନବୀନଙ୍କ ଟିମ୍ରେ ତାଙ୍କୁ  କେତେ ଗୁରୁତ୍ୱ ମିଳିବ, ତାହା ବଡ଼ ପ୍ରଶ୍ନବାଚୀ । ଶାସକ ଦଳରେ ତାଙ୍କୁ ପଦବୀ ମିଳିପାରେ, ମାତ୍ର କଂଗ୍ରେସ ଭଳି ସମ୍ମାନ ତାଙ୍କୁ ମିଳିବ କି ? କଂଗ୍ରେସ ଦଳର ସର୍ବୋଚ୍ଚ ନେତା ରାହୁଲଙ୍କ ପାଖକୁ ଯାଇପାରୁଥିବା ପ୍ରଦୀପ କ’ଣ ନବୀନ ନିବାସକୁ ସହଜରେ ପହଞ୍ଚିପାରିବେ? ଆଗାମୀଦିନରେ ପିସିସି ସଭାପତି ପଦବୀ ପାଇଁ ସେ ଜଣେ ବଡ଼ ଦାବିଦାର ଅଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ଛାଡ଼ିଲେ ସେ ଘାଟାରେ ରହିବେ ବୋଲି କଂଗ୍ରେସ ନେତାମାନେ କହୁଛନ୍ତି ।