ଲାଞ୍ଚ ନେଇ ଫସିଲେ ଡାକ୍ତର ବାବୁ

ଲାଞ୍ଚ ନେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା । ତେଣୁ ତାଙ୍କୁ ବଦଳି କରାଯାଇଥିଲା । ତଥାପି ସେ ସୁଧୁରିଲେନି । ଆଉ ଶୁକ୍ରବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଏହି ସରକାରୀ ବାବୁ ହେଉଛନ୍ତି ପେସାରେ ଜଣେ ଡାକ୍ତର । ତାଙ୍କ ନାଁ ବିଶ୍ୱଜିତ୍ ଭୂୟାଁ । ତେବେ ସେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ମେଡିକାଲ ଅଫିସର ଭାବେ ଚାକିରୀ କରୁଛନ୍ତି । ଖାଲି ସେତିକି ନୁହେଁ ଡାକ୍ତର ବିଶ୍ୱଜିତ ଭୂୟାଁଙ୍କ ସହିତ ଡାକ୍ତରଖାନାର ଫାର୍ମାସିଷ୍ଟ ଉତ୍ତମ ମହାଙ୍କୁଡ଼ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ନର୍ସଙ୍କ ବକେୟା ଦରମା ଅଧିକ କରାଇ ଦେବା ପାଇଁ ଡାକ୍ତର ଭୂୟାଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗତ ଜୁଲାଇ ୨୪ ତାରିଖରେ ଏହି ନର୍ସଙ୍କ ଚାକିରି ନିୟମିତ ହୋଇଥିଲା । ଏହା ପରେ ତାଙ୍କୁ ୨୦୨୨ ଜୁଲାଇ ମାସରୁ ସମସ୍ତ ବକେୟା ଦରମା ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ ଡାକ୍ତର ଭୂୟାଁ ତାଙ୍କର ବକେୟା ଦରମା କରାଇ ଦେବାକୁ ସେଥିରୁ ୧୦% ମାଗିଥିଲେ । ନର୍ସ ଜଣଙ୍କ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ଯୋଜନା ପ୍ରକାର ଆଜି ସେ ଡାକ୍ତର ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାଙ୍କୁଡଙ୍କୁ ଲାଞ୍ଚ ଅର୍ଥ ଦେଇଥିଲେ। ଡାକ୍ତର ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାଙ୍କୁଡ଼ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ସେମାନଙ୍କୁ ଧରିଥିଲା । ଭିଜିଲାନ୍ସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ।