ରାହୁଲ, ପ୍ରିୟଙ୍କାଙ୍କ ସହ ରହିବି: ସିଦ୍ଧୁ
ରାହୁଲ, ପ୍ରିୟଙ୍କାଙ୍କ ସହ ରହିବି: ସିଦ୍ଧୁ
ଚଣ୍ଡୀଗଡ଼: ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଇ କଂଗ୍ରେସକୁ ଅଡୁଆରେ ପକାଇବା ପରେ ଏବେ ହାଇକମାଣ୍ଡଙ୍କୁ ଖୁସି କରିବାକୁ ପ୍ରୟାସ କରୁଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ । ଟ୍ୱିଟ୍ କରି ସିଦ୍ଧୁ ଲେଖିଛନ୍ତି, ପଦ ରହୁ କି ନ ରହୁ, ପରୱା ନାହିଁ । ହେଲେ ଯେ କୌଣସି ପରିସ୍ଥିତି ଆସିଲେ ବି ସେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ ରହିବେ ।
ଏହି ଟ୍ୱିଟରେ ସିଦ୍ଧୁ ଲେଖିଛନ୍ତି, ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶରେ ସବୁବେଳେ ଚାଲିବି । ସମସ୍ତ ନକରାତ୍ମକ ଶକ୍ତି ମୋତେ ହଟାଇବାକୁ ପ୍ରୟାସ ଚଳାଇଛନ୍ତି । କିନ୍ତୁ, ମୁଁ ସବୁବେଳେ ସକରାତ୍ମକ ଆଭିମୁଖ୍ୟ ଦ୍ୱାରା ପଞ୍ଜାବ ଓ ପଞ୍ଜାବୀୟତର ବିଜୟ ପାଇଁ କାମ କରିବା ଜାରି ରଖିବି ।
ସିଦ୍ଧୁ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଫଳାଫଳ, ଏଯାଏ ଜଣାପଡ଼ିନି । ଆଲୋଚନାରେ ସିଦ୍ଧୁ ସନ୍ତୁଷ୍ଟ କି ଅସନ୍ତୁଷ୍ଟ ଏଯାଏ ସ୍ପଷ୍ଟ ହୋଇନି । ତେବେ ସିଦ୍ଧୁଙ୍କ ଅଚାନକ ଇସ୍ତଫାରେ ହାଇକମାଣ୍ଡ ତାଙ୍କ ଉପରେ କ୍ଷୁବ୍ଧ ଅଛନ୍ତି । କେବଳ କ୍ୟାପଟେନ ଅମରିନ୍ଦର ସିଂ ଦଳ ଛାଡ଼ିଥିବାରୁ ସିଦ୍ଧୁଙ୍କ ବିରୋଧରେ ଦଳ କିଛି କାର୍ଯ୍ୟାନୁଷ୍ଠାନ ନେଇପାରୁନି । ନଚେତ୍ ସିଦ୍ଧୁଙ୍କୁ କୋଣଠେସା କରି କଂଗ୍ରେସରେ ପଞ୍ଜାବରେ ଆଗେଇଥାନ୍ତା । ତେଣୁ ରାହୁଲ ଓ ପ୍ରିୟଙ୍କାଙ୍କୁ ବୁଝାଇବା ପାଇଁ ସିଦ୍ଧୁ ଏଭଳି ଟ୍ୱିଟ କରିଥିବା କୁହାଯାଉଛି ।




admin 