ରାଣାଙ୍କୁ କରୋନା ଭୟ

ରାଣାଙ୍କୁ କରୋନା ଭୟ

ରାଣାଙ୍କୁ କରୋନା ଭୟ
ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ଶୁକ୍ରବାର ଏକ କୋର୍ଟ ଆସନ୍ତା ଏପ୍ରିଲ ୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି । ଏହା ପୂର୍ବରୁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ରଖାଯାଇଥିଲା । ପୁଣି ଥରେ ରିମାଣ୍ଡରେ ନେବା ଲାଗି ଇଡି ଆବେଦନ କରିନଥିବାରୁ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ଇଡି ତରଫରୁ ରାଣାଙ୍କୁ କୋର୍ଟରେ ହାଜଲ କରାଯାଇଥିଲା । କିଛି ସମସ୍ୟା ଅଛି କି ବୋଲି କୋର୍ଟ ରାଣାଙ୍କୁ ପ୍ରଶ୍ନ କରିବାରୁ ସେ ଉତ୍ତର ଦେଇଥିଲେ ଯେ ବିଗତ ୬-୭ ବର୍ଷ ହେଲାଣି ମୁଁ ଶ୍ୱାସରୋଗରେ ପୀଡ଼ିତ । ମୋର ରୋଗ ପ୍ରତିରୋଧକ ଶକ୍ତି କମ ଅଛି ଓ ଏବେ ଘୋର ବିଶାଦ ଦେଇ ଗତି କରୁଛି । ତାଙ୍କ ଆଇନଜୀବୀ ଆବାଦ ପୋଣ୍ଡା କୋର୍ଟଙ୍କୁ କହିଥିଲେ ଯେ ଯେହେତୁ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ତେଣୁ ତାଙ୍କ ଠାରେ ଅତି ସହଜରେ କରୋନା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ଏହି ଭୂତାଣୁ ଦ୍ରୁତ ଗତିରେ ବ୍ୟାପୁଛି । ଯଦି ରାଣାଙ୍କୁ ଜେଲ ପଠାଯିବ ତେବେ ତାହା ତାଙ୍କ ଠାରେ ବ୍ୟାପିବାର ଆଶଙ୍କା ରହିଛି । ତାହା ହେଲେ ବହୁତ ସଂକଟଜନକ ପରିସ୍ଥିତି ସୃଷ୍ଟି ହେବ । ତେଣୁ ଏକ ବଡ ସେଲରେ ରାଣାଙ୍କୁ ରଖାଯାଉ ବୋଲି ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଅନ୍ୟ ଏକ ଘଟଣା କ୍ରମରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ୟେସ୍ ବ୍ୟାଙ୍କ ବୋର୍ଡରେ ଦୁଇ ଜଣ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଉଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଆର ଗାନ୍ଧି ଓ ଏସପି ଜୈନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜ ମେଣ୍ଟ ଆଣ୍ଡ ରିସର୍ଚର ଆସୋସିଏଟ୍ ପ୍ରଫେସର ଏସ ପି ଜୈନ । ସେହିପରି ୟେସ୍ ବ୍ୟାଙ୍କରେ ହୋଇଥିବା ଋଣ ଜାଲିଆତି ମାମଲାରେ ରିଲାଏନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନି ହାଜର ହୋଇ ଋଣ ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେବା ଲାଗି ଅଧିକ ସମୟ ଲୋଡ଼ିଛନ୍ତି । ତାଙ୍କୁ ପୁଣି ଥରେ ମାର୍ଚ୍ଚ ୩୦ରେ ଇଡିରେ ହାଜର ହେବାକୁ ପଡ଼ିବ ।