ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଲେ ରାଜ୍ୟ ସରକାର ।

ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଲେ ରାଜ୍ୟ ସରକାର ।

ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଲେ ରାଜ୍ୟ ସରକାର ।
ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ବ୍ୟାପିବା ଆରମ୍ଭ ହୋଇଯାଇଥିବାରୁ ସରକାର ଏଥିପାଇଁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ଯୁଦ୍ଧକାଳୀନ ଭିତ୍ତିରେ ନେଉଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ପୃଥକାବାସ କେନ୍ଦ୍ର ପ୍ରତିଷ୍ଠାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀମାନଙ୍କୁ ଆଗୁଆ ପେନସନ୍ ଏବଂ ଅନୁଦାନ ଆଦି ଆଗୁଆ ପ୍ରଦାନ କରାଯାଉଛି । ଗୋଟିଏ ପଟେ ସରକାର ଏ ସବୁ ପଦକ୍ଷେପ ନେଉଥିବା ବେଳେ ଅନ୍ୟ ପକ୍ଷରେ ଲୋକଙ୍କ ଏହି ପରିସ୍ଥିତିର ସାମ୍ନା କରିବା ପାଇଁ ସବୁ ସମୟରେ ପର୍ଯ୍ୟାପ୍ତ ଅର୍ଥ ରହିବାର ଆବଶ୍ୟକତା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ କରେନ୍ସି ଚେଷ୍ଟ, ବ୍ୟାଙ୍କ ଶାଖା ଓ ଏଟିଏମ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଉପଲବ୍ଧ ହେବାର ଆବଶ୍ୟକତା ରହିଛି । ଯେ କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲଗାି ଅର୍ଥର ଅଭାବ ଯେଭଳି ପ୍ରତିବନ୍ଧକ ନ ହୁଏ ସେଥିପାଇଁ କୌଣସି ବ୍ୟାଙ୍କ ଶାଖା ଏବଂ ଏଟିଏମ୍ ଆଦିରୁ ଟଙ୍କା ଶେଷ ନ ହେବାକୁ ନିଶ୍ଚିତ କରାଯିବା ଉଚିତ ବୋଲି ଅର୍ଥ ବିଭାଗ ପକ୍ଷରୁ ରିଜର୍ଭ ବ୍ୟାଙ୍କକୁ କୁହାଯାଇଛି । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ୱାଳ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଏହି ମର୍ମରେ ଚିଠି ଲେଖିଛନ୍ତି । ଏଥିସହିତ ଏହି ଚିଠିର ନକଲ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ତଥା ୟୁକୋ ବ୍ୟାଙ୍କର ସାଧାରଣ ପରିଚାଳକଙ୍କୁ ମଧ୍ୟ ଦିଆଯାଇଛି । ସବୁ ବ୍ୟାଙ୍କକୁ ଏ ସମ୍ପର୍କରେ ଅବଗତ କରିବା ପାଇଁ ଏସଏଲବିସିକୁ ଚିଠିରେ କୁହାଯାଇଛି ।