ରାଜନୀତି ହାଲଚାଲ : କାମାକ୍ଷାନଗର
ରାଜନୀତି ହାଲଚାଲ : କାମାକ୍ଷାନଗର
admin
Mar 15, 2019 - 06:21
Updated: Mar 15, 2019 - 06:21
ଭୁବନେଶ୍ୱର : ଢ଼େଙ୍କାନାଳ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ କାମାକ୍ଷାନଗର । କାମାକ୍ଷାନଗର ବ୍ଲକର ୧୬ଟି, ଭୁବନ ବ୍ଲକର ୧୮ଟି ଓ ଢ଼େଙ୍କାନାଳ ସଦର ବ୍ଲକର ୯ଟି ପଂଚାୟତକୁ ନେଇ ଗଠିତ କାମାକ୍ଷାନଗର ବିଧାନସଭା କ୍ଷେତ୍ର ଦୀର୍ଘ ଦୁଇ ଦଶନ୍ଧି ହେଲା ବିଜେଡି କବଜାରେ ରହିଆସିଛି । ୨୦୦୪ ମସିହାରୁ ଲଗାତାର ଭାବେ ପ୍ରଫୁଲ୍ଲ ମଲ୍ଲିକ ଏହି ଆସନରୁ ବିଜୟୀ ହୋଇଆସିଛନ୍ତି । ସଂପ୍ରତି ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି । ତେଣୁ ନିର୍ବାଚନରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ପାଇଁ କାମାକ୍ଷାନଗର ବିଧାନସଭା ଆସନ ସମ୍ମାନର ପ୍ରଶ୍ନ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
୨୦୧୪ ନିର୍ବାଚନରେ କଂଗ୍ରେସର ପୂର୍ବତନ ବିଧାୟକ ସ୍ୱର୍ଗତ କୈଳାସ ମହାପାତ୍ରଙ୍କ ପୁତ୍ର ଯୁବନେତା ଭବାନୀ ଶଙ୍କର ମହାପାତ୍ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଶ୍ରୀ ମଲ୍ଲିକଙ୍କୁ କଡ଼ା ଟକ୍କର ଦେଇଥିଲେ । ଶ୍ରୀ ମଲ୍ଲିକ ୬୪ ହଜାର ୨୭୨ ଖଣ୍ଡ ଭୋଟ ପାଇଥିବା ବେଳେ ଭବାନୀ ସପକ୍ଷରେ ୪୭ ହଜାର ୩୬୭ ଖଣ୍ଡ ଭୋଟ ପାଇଥିଲେ । ବିଜେପିର ପ୍ରସନ୍ନ ପଟ୍ଟନାୟକ ମାତ୍ର ୨୫ ହଜାର ୬୩୯ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । କାମାକ୍ଷାନଗରରୁ ହ୍ୟାଟ୍ରିକ ବିଜୟ ଲାଭ କରିଥିବା ଶ୍ରୀ ମଲ୍ଲିକ ୪ର୍ଥ ଥର ବାଜିମାତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ତାଙ୍କୁ ଚେକ ଦେବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଛି । ନର୍ମଦା ବଂଚାଅ ଆନ୍ଦୋଳନ ଓ ଗ୍ରାମ ସ୍ୱରାଜରୁ ରାଜନୀତିକୁ ଆସିଥିବା ଦେବଦତ ପଟ୍ଟନାୟକଙ୍କୁ ପ୍ରମୁଖ ଅସ୍ତ୍ର ଭାବେ ବିଜେପି ବ୍ୟବହାର କରିପାରିବ ବୋଲି ଚର୍ଚ୍ଚା ହେଉଛି । ହେଲେ ବିଜେପିର ଏକାଧିକ ଆଶାୟୀ ଏବଂ ଦଳୀୟ ଅନ୍ତଦ୍ୱର୍ନ୍ଦ୍ୱ ଲାଗିରହିଥିବାରୁ ଦଳର ମୁଣ୍ଡିଆଳଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଗତ ନିର୍ବାଚନରେ ପରାଜିତ ହୋଇଥିବା ଭବାନୀ ମହାପାତ୍ର ନିଜର ସଂଗଠନକୁ ଦୃଢ଼ କରିବାରେ ଯଥାସାଧ୍ୟ ଉଦ୍ୟମ ଚଳାଇ ଆସିଛନ୍ତି । ବିଜେଡି ଉନ୍ନୟନମୂଳକ ଯୋଜନା ତଥା ବିକାଶ ପ୍ରସଙ୍ଗକୁ ଆୟୁଧ କରି ଜନସାଧାରଣଙ୍କ ନିକଟତର ହେବାକୁ ପ୍ରୟାସ କରୁଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିଛି । ସେପଟେ ଢ଼େଙ୍କାନାଳ ସଦର ବ୍ଲକରେ ରହିଥିବା ୯ଟି ପଂଚାୟତର ୪୦ ହଜାରରୁ ଅଧିକ ଭୋଟର ଏଥର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆକଳନ କରାଯାଉଛି । ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତରଭା ଗୁଳିକାଣ୍ଡକୁ ନେଇ ବିଜେଡି ବ୍ୟାକଫୁଟରେ ଥିଲା । ଯାହାର ଫାଇଦା ନେଇ ବିଜେପି ଏଠାରୁ ଦୁଇଟି ଜିଲ୍ଲା ପରିଷଦ ଆସନ ହାତେଇଥିଲା ।
ତେଣୁ ଏହି ଅଂଚଳରୁ ପ୍ରାର୍ଥୀ କରି ବିଜେପି ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପୋଷଣ କରିଛନ୍ତି । ବିଜେଡିରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଗିରିଜା ପ୍ରସାଦ ମହାନ୍ତି, ଚାଟାର୍ଡ ଆକାଉଂଟାଟ ରାଜନାରାୟଣ ତ୍ରିପାଠୀ ଓ ମହିଳା ବିଜେଡି ରାଜ୍ୟ ଉପସଭାନେତ୍ରୀ ସାଗରିକା ମିଶ୍ର ଆଶାୟୀ ଥିବା ବେଳେ ବିଜେପିରୁ ପ୍ରସନ୍ନ ପଟ୍ଟନାୟକ, ଦେବଦତ ପଟ୍ଟନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ରତ୍ନପ୍ରଭା ପଣ୍ଡା, ଶତ୍ରୁଘନ ଜେନା, ଦେବାଶିଷ ହୋତା ଓ କଂଗ୍ରେସରୁ ଭବାନୀ ଶଙ୍କର ମହାପାତ୍ର, ବିଭୂଦତ ଭଟ୍ଟ, ସନ୍ତ ମହାରଣା, ପ୍ରବାଳକାନ୍ତି ସାହୁ ଆଶାୟୀ ରହିଛନ୍ତି ।