ରାଜ୍ୟରେ ପଦବୀ ଖାଲି ପଡିବା ନେଇ ଏହା କହିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ରାଜ୍ୟରେ ପଦବୀ ଖାଲି ପଡିବା ନେଇ ଏହା କହିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ


ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟ କରୁଛନ୍ତି ମୋଟ ୩ ଲକ୍ଷ ୯୮ ହଜାର ୫୭୭ ଜଣ ସରକାରୀ କର୍ମଚାରୀ  ।  ଏହାସତ୍ତେ୍ୱ ମଧ୍ୟ ଲକ୍ଷାଧିକ ସରକାରୀ ପଦବୀ ଖାଲି ରହିଛି  । ବିଧାନସଭାରେ ବିଧାୟିକା କୁସୁମ ଟେଟେ ରାଜ୍ୟରେ କେତେ ସଂଖ୍ୟକ ସରକାରୀ କର୍ମଚାରୀ କାମ କରୁଛନ୍ତି, କାର୍ଯ୍ୟ କରୁଥିବା ଠିକା କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଓ ଖାଲି ପଡିଥିବା ପଦବୀ ସଂଖ୍ୟା କେତେ ସେନେଇ ପ୍ରଶ୍ନ କରିଥିଲେ  ।  ଏହାର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା, ଖାଲି ପଡିଥିବା ପଦବୀ ଓ ମଞ୍ଜୁରୀପ୍ରାପ୍ତ ପଦବୀର ତଥ୍ୟ ଏଇଆରଆର ଜରିଆରେ ଏଚଆରଏମଏସ ଦ୍ୱାରା ଅର୍ଥ ବିଭାଗ ସଂଗ୍ରହ କରିଥାଏ  । 

ଡିସେମ୍ବର ୨୦୨୧ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ସର୍ବମୋଟ ୩ ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି  । ଏହା ସତ୍ତେ୍ୱ ମଧ୍ୟ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡିଛି  । ତେବେ ଠିକା ଭିତ୍ତିକ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଏଇଆରଆରରେ ସ୍ଥାନ ପାଏ ନାହିଁ  । ସେ ସବୁର ତଥ୍ୟ ବିଭାଗୱାରୀ ଉପଲବ୍ଧ ରହିଥାଏ  । ଏବେ ଅର୍ଥ ବିଭାଗରେ ୭୨ ଜଣ ଠିକା ଭିତ୍ତିକ କର୍ମଚାରୀ ଓ ୮୫ ଜଣ ଅବସରପ୍ରାପ୍ତ କର୍ମଚାରୀ କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।